
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରିକୁ ସମାଲୋଚନା କରି ଟୁଇଟ୍ କରିବା ପରେ ସେ ଜାନୁଆରିରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ତେବେ ଦୀର୍ଘଦିନର ନିରବତା ପରେ ସେ ଆଜି ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଭି ମୁରଲୀଧରନ ଏବଂ ବିଜେପିର କେରଳ ୟୁନିଟ୍ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଆଣ୍ଟୋନି । ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପରେ, ସେ କହିଛନ୍ତି, “ପ୍ରତ୍ୟେକ କଂଗ୍ରେସ କର୍ମୀ ବିଶ୍ୱାସ କରନ୍ତି ଯେ ସେମାନେ ଗୋଟିଏ ପରିବାର ପାଇଁ କାମ କରୁଛନ୍ତି । କିନ୍ତୁ ମୁଁ ବିଶ୍ୱାସ କରେ ଯେ ମୁଁ ଦେଶ ପାଇଁ କାମ କରୁଛି । ବିଶ୍ୱରେ ଭାରତକୁ ଏକ ଅଗ୍ରଣୀ ସ୍ଥାନରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି । ତେବେ ବିବିସି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ପରେ ଦଳ ଛାଡ଼ିବା ପୂର୍ବରୁ ଅନୀଲ ଆଣ୍ଟୋନି କେରଳରେ କଂଗ୍ରେସର ସୋସିଆଲ ମିଡିଆ ସେଲ୍ ଚଳାଉଥିଲେ । ଏହି ଡକ୍ୟୁମେଣ୍ଟାରି ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଉପରେ ପର୍ଯ୍ୟବେସିତ ରହିଥିଲା । ଅନୀଲ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ସମାଲୋଚନା କରିବା ସହ ଏହା ଭାରତ ବିରୋଧୀ ବୋଲି କହିଥିଲେ । ଡକ୍ୟୁମେଣ୍ଟାରିକୁ ବିରୋଧ କରି ଅନୀଲ ଆଣ୍ଟୋନି କହିଥିଲେ ଯେ ଭାରତୀୟ ଅନୁଷ୍ଠାନ ଉପରେ ବ୍ରିଟିଶ ବ୍ରଡକାଷ୍ଟରଙ୍କ ମତାମତ ରଖିବା ଦେଶର ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରିଛି । ତେବେ ଅନିଲ ଆଣ୍ଟୋନି ଏକ ବହୁମୁଖୀ ବ୍ୟକ୍ତିତ୍ୱ, ଅନିଲ ଆଣ୍ଟୋନିଙ୍କ ଆଚରଣରେ ସେ ବହୁତ ପ୍ରଭାବିତ ହୋଇଥିଲି ବୋଲି ବିଜେପି ନେତା ପୀୟୁଷ ଗୋୟଲ କହିଛନ୍ତି । ସେ ଆହୁରି କହିଛନ୍ତି, ବିକାଶ ଉପରେ ଅନିଲଙ୍କ ମତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମାନ ପ୍ରତିଫଳିତ ହୋଇଛି । ଆମର ଆତ୍ମବିଶ୍ୱାସ ରହିଛି ଯେ ସେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ ଏବଂ ଦକ୍ଷିଣ ଭାରତରେ ବିଜେପିର ଶକ୍ତି ବଝାଇବେ ବୋଲି ପୀୟୁଷ ଗୋୟଲ କହିଛନ୍ତି ।