ଜୁନ୍ ୨ ସେଦିନ କାଳ ରାତି । ସବୁ କିଛି ଛାରଖାର କରିଦେଲା । କିଛି ସେକେଣ୍ଡରେ ଚାଲିଗଲା ଶହ ଶହ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଛିନ ଛତର ହୋଇଗଲା । କିଏ କୁଆଡେ ଛିଟିକି ପଡିଲେ । ମୃତ୍ୟୁ ବେଳେ ସମସ୍ତଙ୍କର ପରିଜନଙ୍କ କଥା ମନେ ପଡୁଥିବ । କାହା ଆଗରେ ତାର ବାପା, ତ କାହା ଆଖି ଆଗରେ ମାଆ ତ କାହା ଆଖି ଆଗରେ ନିଜର ଛୁଆର ମୁହଁ ଚାଲି ଆସୁଥିବ । କେହି କେବେ ଭାବି ନଥିବେ ଏମିତି କିଛି ହୋଇଯିବ । କିନ୍ତୁ ମୃତ୍ୟୁ ତାଣ୍ଡବ ରଚିଗଲା କରମଣ୍ଡଳ ।
ହଁ ଆଜ୍ଞା ସେଦିନ ଏମିତି କିଛି ହେଲା । ଉଦ୍ଧାର କାର୍ଯ୍ୟ ଚାଲିଲା ରାତିରୁ ଦିନ ହୋଇଗଲା । ଧ୍ୱସଂ ବିଧ୍ୱସ୍ତ ବଗି ଭିତରୁ ଜୀବନ ରାହା ଖୋଜା ଚାଲିଥିବା ବେଳେ ଅନ୍ୟପଟେ ଚାଲିଥିଲା ଟ୍ରେନ୍ ବଗିରୁ ଲୁଟ୍ । ଏଭଳି ଅମାନବୀୟ ଦୃଶ୍ୟ ଦୁର୍ଘଟଣାର ପରଦିନ ଶନିବାର ଦିନ ଦେଖିବାକୁ ମିଳିଛି । ଇଏ ସେହି ପାର୍ସଲ ବଗି ଯେଉଁଥିରେ ଅନେକ ଲୋକଙ୍କର ପାର୍ସଲ ଯାଉଥିଲା । ହେଲେ ଦୁର୍ଘଟଣା ପରେ ସେହି ପାର୍ସଲଗୁଡିକୁ ଲୁଟି ନେଇଯାଇଛନ୍ତି କିଛି ଲୋକ । କିଏ କପଡା ନେଇ କି ଦୌଉ କି ପଳେଇଲେ ତ ଆଉ କିଏ ଜିନିଷଗୁଡିକୁ ଜଙ୍ଗଲରେ ରଖି ପୁଣି ଥରେ ଆଉ କିଛି ପାର୍ସଲ ନେବାକୁ ଆସୁଥିଲେ । ଆଉ କିଛି ଜଣ ପ୍ୟାଣ୍ଟ ସାର୍ଟଗୁଡିକୁ ସେହିଠାରେ ହିଁ ପିନ୍ଧି କି ମାପୁଥିବାର ମଧ୍ୟ ଦେଖାଦେଇଥିଲା ।
ସେହିଠାରେ ହିଁ ପ୍ୟାକେଟଗୁଡିକୁ ଖୋଲି ସେଥିରୁ ଜିନିଷ ସବୁ ବାହାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏ ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ, ପୁରାପୁରି ବେଫିକର ହୋଇ ପାର୍ସଲ ଏବଂ ଜିନିଷଗୁଡିକୁ ଧରି ରେଳ ଲାଇନରେ ଚାଲି ଚାଲି ଯାଉଛନ୍ତି କିଛି ଲୋକ । ସତେ ଯେମିତି ତାଙ୍କୁ କାହାର ଡର ନାହିଁ କି ଖାତିର ବି ନାହିଁ । ଅବଶ୍ୟ କିଛି ସମୟ ପରେ ପୋଲିସ ଲୋକମାନଙ୍କୁ ଗୋଡାଇ ଥିଲା । ହେଲେ ସେତେବେଳକୁ ବଗିରୁ ଅଧା ଜିନିଷ ଖାଲି ହୋଇ ସାରିଥିଲା । ଯେଉଁ ସମୟରେ ପୁରା ଓଡିଶା ସ୍ତବ୍ଧ ଥିଲା, ମୃତହାତଙ୍କ ପରିଜନଙ୍କ ଆଖିରୁ ଲୁହ ଶୁଖୁନଖିଲା ସେହି ସମୟରେ ଏଭଳି ଲୁଟକୁ କଣ କୁହାଯାଇପାରେ ।