ବାଲେଶ୍ଵର: ଜୁନ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାକୁ ମସେ ରୁ ଅଧିକ ସମୟ ବିତିଯାଇଥିବା ବେଳେ ଆଜି ପୁଣି କିଛି ନୂଆ ଖବର ସାମ୍ନାକୁ ଆସିଛି। ପୁଣି ଆଜି ୭ ଜଣ ରେଳ କର୍ମଚାରୀଙ୍କୁ ଏନେଇ ସସ୍ପେଣ୍ଡ କରାଯାଇଛି। ଗତ ପ୍ରାୟ ଏକ ସପ୍ତାହ ହୋଇଯିବ ସିବିଆଇ ର ତନାଘନା ପରେ ୩ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନିଆଯାଇଥିଲା। ଗିରଫ ହୋଇଥିବା ୩ ଜଣ ଥିଲେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାର । ଏବେ ସିବିଆଇ ର ତଦନ୍ତ ପରେ ଆଜି ପୁଣି ୭ ଜଣଙ୍କୁ ସସ୍ପେଣ୍ଡ କରାଯାଇଛି। ତେବେ ଏହି ୭ ଜଣ ସସ୍ପେଣ୍ଡ ହେବା ପଛର କାରଣ ଜଣ ପଡ଼ି ନାହିଁ। ପୂର୍ବରୁ ଗିରଫ ତିନି ଜଣଙ୍କର କିଛି ତଥ୍ୟ ଅନୁସାରେ ହୁଏତ ଏମାନଙ୍କୁ ସସ୍ପେଣ୍ଡ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ କ’ଣ ଥିଲା ଦୁର୍ଘଟଣାର କାରଣ? ସତରେ ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥିଲା ନା ଏହା ପଛରେ ଥିଲା ଅନ୍ୟ କିଛି ଷଡ଼ଯନ୍ତ୍ର? ଏନେଇ ଦୁର୍ଘଟଣା ଦିନରୁ ଏଯାଏଁ ସିବିଆଇ ଅନବରତ ତନାଘନା ଜାରି ରଖିଛି। ଖୁବ୍ ଶୀଘ୍ର ଘଟଣା ପଛର ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ବାହାନଗା ଟ୍ରେନ ଟ୍ରାଜେଡିରେ ପୁଣି ନୂଆ ମୋଡ଼

