
ଭୁବନେଶ୍ୱର: କିଛିଦିନ ଧରି ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ବାରରେ ନିୟୋଜିତ ହେବେନି ଆଉ ବାଉନସର । ବୋହୁ ସମୟରେ ବାହୁ ଦେଖାଇ ଆଇନକୁ ହାତକୁ ନେବାକୁ ଚେଷ୍ଟା କରିଥାନ୍ତି ବର୍ ରେ ଥିବା ବାଉନସର । ଗ୍ରାହକଙ୍କୁ ଧମକଚମକ ସହ ଦାଦାଗିରି ଦେଖାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଟୁଇନସିଟିରେ ଜାରି ହୋଇଛି ଏସଓପି । ଏହି ଏସଓପି ଅନୁଯାୟୀ ଯଦି ବାର କର୍ତ୍ତୃପକ୍ଷ କୌଣସି ସୁରକ୍ଷାକର୍ମୀ ନିୟୋଜିତ କରିବେ ତେବେ ପୂର୍ବରୁ ସେହି ଅଞ୍ଚଳର ଡିସିପିଙ୍କ ଅନୁମତି ନେବେ। ନିୟୋଜିତ ହେଉଥିବା ସୁରକ୍ଷାକର୍ମୀଙ୍କ ରେକର୍ଡ ଯାଞ୍ଚ କରିବେ । ଯଦି କାହାକୁ ସୁରକ୍ଷାକର୍ମୀ ଭାବେ ରଖିବେ ତେବେ ପଞ୍ଜୀକୃତ ପ୍ରାଇଭେଟ ସିକ୍ୟୁରିଟି ସଂସ୍ଥାରୁ ସୁରକ୍ଷାକର୍ମୀ ନିୟୋଜିତ କରିବେ। ଏ ନେଇ ସ୍ଥାନୀୟ ପୋଲିସ ଷ୍ଟେସନ୍ ରେ ନିୟୋଜିତ କର୍ମଚାରୀଙ୍କ ତଥ୍ୟ ଦାଖଲ କରିବେ । ଏହି ସୁରକ୍ଷାକର୍ମୀ କେବଳ ଆଇନ ମୁତାବକ ବାରରେ ନିଜ ଦାୟିତ୍ୱ ସମ୍ପାଦନ କରିବେ । ଆବଶ୍ୟକ ହେଲେ ସେମାନେ ୧୧୨କୁ କଲ୍ କରି ପୋଲିସକୁ ଡାକିପାରିବେ । ହେଲେ କୌଣସିମତେ ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ପରି କୌଣସି କାର୍ଯ୍ୟ କରିବେ ନାହିଁ । ଆଗାମୀ ୨ ମାସ ମଧ୍ୟରେ ଏସବୁ ନିୟମକୁ କାର୍ଯ୍ୟକାରୀ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଚିଠି କରାଯାଇଛି ।