ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ କୃଷ୍ଣଚକ୍ରଗଡ଼ ଗ୍ରାମରେ କଲପତରିଆ ବାଘ ଆତଙ୍କ ଦେଖାଦେଇଛି । ଛେଳି ଚରାଇବାକୁ ଯାଇଥିବା ଦୁଇଜଣ ବ୍ୟକ୍ତି ବାଘ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ବାଘର ଅନୁସନ୍ଧାନ ଚଳାଇଛନ୍ତି। ଅନୁଗୁଳ ସଦର ବନାଞ୍ଚଳ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ ଅଧୀନରେ ରହିଥିବା କୃଷଚକ୍ରଗଡ଼ ଗ୍ରାମର ନେଙ୍କୁରି ବେହେରା ଓ ଜନକ ବେହେରା ଦୈନନ୍ଦିନ ଭଳି ଗୁରୁବାର ନିଜର ଛେଳିପଲ ଚରାଇବାକୁ ରାଜାଙ୍କ ଉଆସ ପାହାଡ଼ ଆଡକୁ ଯାଇଥିଲେ। ପ୍ରାୟ ମଧ୍ୟାହ୍ନ ସମୟରେ ଛେଳିପଲ ହଠାତ ଦୌଡ଼ିବାକୁ ଲାଗିଥିଲେ। ଛେଳି ପଲ ପଛରେ ଏକ କଲରାପତରିଆ ବାଘ ଗୋଡାଉଥିବା ସେମାନେ ଦେଖିଥିଲେ ବୋଲି ଆହତ ଦ୍ଵୟ କହିଛନ୍ତି । ଛେଳି ପଲ ପଛରେ ଦୌଡୁଥିବା ବାଘକୁ ଘଉଡାଇବା ପାଇଁ ଦୁଇ ଛେଳି ଚରାଳି ବିଚାର କରିଥିଲେ । ଏଥିରେ ବାଘଟି ଅଧିକ ହିଂସ୍ର ହୋଇ ଏହି ଛେଳି ପଲକୁ ଛାଡି ଦୁଇ ବ୍ୟକ୍ତିଙ୍କ ଉପରକୁ କୁଦା ମାରିଥିଲା । ବାଘଟି ଜନକ ବେହେରାଙ୍କ ହାତର ପାପୁଲି କାମୁଡି ଧରିବା ସହ ଅଣ୍ଠୁରେ ପଞ୍ଝା ମାରିଥିଲା । ଏହା ଦେଖି ପାଖରେ ଥିବା ନେଙ୍କୁରି ଦୌଡ଼ିବା ବେଳେ ତାଙ୍କୁ ମଧ୍ୟ ବାଘଟି ଗୋଡ଼ାଇ ଗୋଡାଇ ଆକ୍ରମଣ କରିଥିଲା। ଘଟଣା ଗ୍ରାମରେ ପ୍ରଚାର ହେବା କ୍ଷଣି ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁରୁଣାଗଡ ସେକ୍ସନ କାର୍ଯ୍ୟାଳୟର କର୍ମଚାରୀମାନେ ଆକ୍ରମଣସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି
ବାଘର ଆକ୍ରମଣରେ ୨ ଜଣ ଗୁରୁତର*
