UTKAL PRATIDIN

ବର୍ଷା କରିଛି ବେହାଲ: ରାଜ୍ୟର ୭ଟି ଜିଲ୍ଲାକୁ ମିଳିଲା ଅରେଞ୍ଜ୍ ୱାର୍ଣିଂ 


  
ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରାୟ ରାଜ୍ୟର ସମସ୍ତ ସ୍ଥାନରେ ବର୍ଷା ହେଉଛି। ଏହି ଘୂର୍ଣ୍ଣିବଳୟ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ଦୁଇ ଦିନ ଭିତରେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ । ତେବେ ଏହାରି ଭିତରେ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଫଳରେ ଆସନ୍ତା କିଛି ଦିନ ବର୍ଷା ଲାଗି ରହିବ । ଆଜି ଓ କାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରରସୁଗୁଡା,ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର । ପାଣିପାଗ ବିଭାଗର ଆକଳନ ପରେ ଏ ସମସ୍ତ ଜିଲ୍ଲାକୁ ସତର୍କ କରିଛନ୍ତି ଏସଆରସି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।


ଏପଟେ ବର୍ଷା ହେତୁ ଭୁବନେଶ୍ୱର ଓ କଟକରେ ଦେଖା ଦେଇଛି ଅନେକ ପ୍ରକାର ଅସୁବିଧା। ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର। ସେହିପରି ଅତ୍ୟଧିକ ବର୍ଷା ଯୋଗୁଁ ବୋହୁ ସ୍ଥାନରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଛି । ପାଣି ସଠିକ୍ ରୂପେ ନିଷ୍କାସିତ ହୋଇପାରୁ ନଥିବାରୁ ଅନେକ ଜାଗାରେ ଘରେ ମଧ୍ୟ ପାଣି ପଶିଛି। ଅନେକ ଲୋକ ପାଣି ଘେରରେ ରହିଛନ୍ତି।
ଅନ୍ୟପଟେ ଏବେ ବର୍ଷା ପରିମାଣ ଖୁବ୍ ବଢ଼ିଥିବା ବେଳେ ଗତକାଲି ଭଦ୍ରକରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସହର ଠାରୁ ଆରମ୍ଭ କରି ଗାଁ ଅନେକ ସ୍ଥାନରେ ଘରେ ପାଣି ପଶିଛି। ଏହା ସହିତ ଜଗତସିଂହପୁରରେ ୧୩୨.୬ ମିଲିମିଟର , ଝାରସୁଗୁଡାରେ ୧୨୧ ମିଲିମିଟର, ଚାନ୍ଦବାଲିରେ ୮୦ ମିଲିମିଟର ଏବଂ ଭୁବନେଶ୍ୱରରେ ୪୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Exit mobile version