Site icon UTKAL PRATIDIN

ବରିଷ୍ଠ ଓକିଲଙ୍କ ଉପରେ ରାଗିଗଲେ ସିଜେଆଇ: ସିକ୍ୟୁରିଟି ଡାକି ବାହାର କରି ଦେବାକୁ ଧମକ ଦେଲେ

6d061ba7-4116-42d0-9bd9-0f0657a84376


ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମଙ୍ଗଳବାର NEET UG ପେପର ଲିକ ମାମଲାର ଶୁଣାଣି ଚାଲିଥିବାବେଳେ ମୁହଁମୁହିଁ ହୋଇଥିଲେ ବରିଷ୍ଠ ଓକିଲ ମାଥ୍ୟୁସ ନେଦୁମପରା ଏବଂ ପ୍ରଧାନ ବିଚାରପତି ଡିବିଆଇ ଚନ୍ଦ୍ରଚୂଡ଼ । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ବଚସା । କୋର୍ଟ ପରିସରରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ | ସମସ୍ତେ ଜାଣନ୍ତି, ମାମଲାର ଶୁଣାଣି ବେଳେ ସିଜେଆଇ ଚନ୍ଦ୍ରଚୂଡ଼ ଶାନ୍ତ ଥାଆନ୍ତି ।ହେଲେ ସେଦିନ ମାମଲା ଏତେ ବଢି ଯାଇଥିଲା ଯେ, ସିଜେଆଇ ଉକ୍ତ ଓକିଲଙ୍କୁ କୋର୍ଟ ରୁମରୁ ବାହାର କରି ଦେବାକୁ ନିର୍ଦେଶ ଦେଇଥିଲେ । ଆଉ ସେ ଯେତେବେଳେ ମାନି ନ ଥିଲେ ସିଜେଆଇ ସିକ୍ୟୁରିଟିକୁ ଡକାଇ ବାହାର କରି ଦେବାକୁ ଚେତାବନୀ ଦେଇଥିଲେ । ତେବେ କିଏ ଏହି ମାଥ୍ୟୁସ ନେଦୁମପରା ? ସିଜେଆଇଙ୍କ ସହ ଲଢ଼ିବାକୁ ସାହସ କାଳେ କେମିତି ?

ମାଥ୍ୟୁସ ନେଦୁମପରା ୧୯୮୪ରେ କେରଳ ବାର କାଉନ୍ସିଲରେ ନାମାଙ୍କନ ଦାଖଲ କରିଥିଲେ । ସିଭିଲଠାରୁ ଆରମ୍ଭ କରି ଅପରାଧିକ, ସାମ୍ବିଧାନିକ, ବ୍ୟାଙ୍କିଙ୍ଗ, ଅର୍ଥ ଏବଂ କମ୍ପାନୀ କାନୁନ ସବୁଥିରେ ତାଙ୍କର ଦକ୍ଷତା ରହିଛି । ୨୦୧୦ରେ ସେ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଷ୍ଟ୍ରୀୟ ଓକିଲ ଅଭିଯାନ ଆରମ୍ଭ କରିଥିଲେ । ଏହି ଫାର୍ମ ମୁମ୍ବାଇ ସମେତ ଦିଲ୍ଲୀ, କର୍ଣ୍ଣାଟକ, ମାଡ୍ରାସ, କେରଳ ହାଇକୋର୍ଟ ସମେତ ସୁପ୍ରିମ କୋର୍ଟରେ ମାମଲାକୁ ସମ୍ଭାଳି ଥାଏ ।

ତେବେ ମଙ୍ଗଳବାର ଦିନ NEET UG ପେପର ଲିକ ମାମଲାର ଶୁଣାଣି ଚାଲିଥିବାବେଳେ ଆବେଦନକାରୀ ଓକିଲ ନରେନ୍ଦ୍ର ହୁଡ୍ଡା ନିଜ ପକ୍ଷ ରଖୁଥିଲେ । ଏହି ସମୟରେ ମାଥ୍ୟୁସ କହିବାକୁ ଚାହୁଁଥିଲେ । ହୁଡ୍ଡାଙ୍କ ପରେ ସେ କହିବେ ବୋଲି ସିଜେଆଇ କହିଥିଲେ ହେଁ ମାଥ୍ୟୁସ ତାହା ଶୁଣି ନ ଥିଲେ । ପାଲଟା ସିଜେଆଇଙ୍କୁ ଜବାବ ଦେଇ କହିଥିଲେ, ମୁଁ ଏଠାରେ ସବୁଠାରୁ ବରିଷ୍ଠ ଓକିଲ । ତେଣୁ ମୋତେ କହିବାକୁ ଦିଆଯାଉ ।
ମାଥ୍ୟୁସଙ୍କ ଏହି କଥାରେ ରାଗି ଯାଇଥିଲେ ସିଜେଆଇ | ଗ୍ୟାଲେରୀରେ ଏପରି କଥା ନ କହିବାକୁ ଚେତାବନୀ ଦେଇଥିଲେ ସିଜେଆଇ | ଏପରିକି କହିଥିଲେ, ମୁଁ କୋର୍ଟ ଇନଚାର୍ଜ । ସିକ୍ୟୁରିଟି ଡାକ ଏବଂ ତାଙ୍କୁ ଏଠାରୁ ବାହାର କରିଦିଅ ।

ମାଥ୍ୟୁସ ବି ଛାଡିବାକୁ ପ୍ରସ୍ତୁତ ନ ଥିଲେ । ସିଜେଆଇଙ୍କୁ ଜବାବ ଦେଇ କହିଥିଲେ, ମୁଁ ନିଜେ ପଳାଇ ଯାଉଛି । ତାଙ୍କୁ କହିବା ଦରକାର ନାହିଁ ।
ଏହା ପରେ ପ୍ରଧାନ ବିଚାରପତି କହିଥିଲେ, ଆପଣଙ୍କୁ କିଛି କହିବା ଦରକାର ନାହିଁ । ମୁ ୨୪ ବର୍ଷ ଧରି କୋର୍ଟକୁ ଦେଖି ଆସୁଛି । କୋର୍ଟରେ ଶୁଣାଣି ବେଳେ ଓକିଲଙ୍କ ଏପରି ବ୍ୟବହାରକୁ ବରଦାସ୍ତ କରିବିନି ।
ମାଥ୍ୟୁସ ପୁଣି କହିଥିଲେ, ମୁଁ ବି ୧୯୭୯ରୁ କୋର୍ଟକୁ ଦେଖି ଆସୁଛି । ଏହାପରେ ସିଜେଆଇ ଚନ୍ଦ୍ରଚୂଡ଼ ରାଗି ଯାଇଥିଲେ ଏବଂ ନୋଟିସ ଚେତାବନୀ ଦେଇଥିଲେ ।
ସୂଚନା ଥାଉ କି, ସିଜେଆଇଙ୍କ ସହ ଏମିତି ଢଙ୍ଗରେ ଯୁକ୍ତି କରିବା ମାଥ୍ୟୁସଙ୍କ ପାଇଁ ପ୍ରଥମ ନୁହେଁ । ନିର୍ବାଚନୀ ବଣ୍ଡର ଶୁଣାଣି ବେଳେ ମଧ୍ୟ ସିଜେଆଇଙ୍କ ୱାର୍ଣ୍ଣିଂ ସତ୍ତ୍ୱେ ସେ ଯୁକ୍ତି ଉପସ୍ଥାପନ ମଝିରେ ହସ୍ତକ୍ଷେପ କରିଥିଲେ।

Exit mobile version