
ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳଭଣ୍ଡାର ଭିତରକୁ ବନ୍ୟାଜଳ ପ୍ରବେଶ କମିଛି । ଫଳରେ ହୀରାକୁଦ୍ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର କମିଛି । ତେଣୁ ଏବେ ଖୋଲାଯାଇଥିବା ଗେଟରୁ ୧୦ଟି ଗେଟ୍ ବନ୍ଦ କରିଛନ୍ତି ହୀରାକୁଦ୍ କର୍ତ୍ତୃପକ୍ଷ । ବାମପାର୍ଶ୍ୱରୁ ୭ଟି ଏବଂ ଡାହାଣପାର୍ଶ୍ୱରୁ ୩ ଟି ଗେଟ୍ ବନ୍ଦ କରାଯାଇଛି । ଏହା ପରେ ଏବେ ମୋଟ ୧୦ ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ସୂଚନା ଅନୁସାରେ , ମଙ୍ଗଳବାର ଅର୍ଥାତ ଆଜି ସକାଳ ୬ ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୩୩ ଫୁଟ ରହିଥିଲା । ୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଜଳଭଣ୍ଡାର ମଧ୍ୟରୁ ୧ ଲକ୍ଷ ୨୦ ହଜାର ୩୧୧ କ୍ୟୁସେସ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୯ ହଜାର ୧୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଉଛି । ତେବେ ଏବେ ବାକି ଖୋଲାଥିବା ୧୦ଟି ଗେଟ ଦ୍ୱାରା ଏବେ ଏହି ଜଳ ପ୍ରବାହ କରାଯିବ l