୩.୦ ମୋଦି ସରକାରଙ୍କ ୪୮,୨୦,୫୧୨ କୋଟି ଟଙ୍କାର ପ୍ରଥମ ବଜେଟ ଗତକାଲି ସଂସଦରେ ଉପସ୍ଥାପିତ ହୋଇଯାଇଛି । ଏହି ବଜେଟ୍କୁ ସାରା ରାଜ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି | ବିରୋଧୀ ଏହାକୁ କୁରସୀ ବଞ୍ଚାଅ ବଜେଟ କହୁଥିବା ବେଳେ ମେଣ୍ଟ ସରକାର କହିଛି ଏହା ବିକାଶର ଧାରାକୁ ଆହୁରି ମଜବୁତ କରିବା ପରି ବଜେଟ |
ଅନ୍ୟପକ୍ଷେ ଇଣ୍ଡିଆମେଣ୍ଟର ସାଂସଦମାନେ ବଜେଟକୁ ବିରୋଧ କରିବା ସହିତ ନୀତି ଅୟୋଗ ବୈଠକକୁ ବହିଷ୍କାର କରିବାକୁ କରିଛନ୍ତି ଘୋଷଣା ।
କେନ୍ଦ୍ରରେ ନିଜର ସ୍ଥିତି ମଜଭୁତ ନ ଥିବାରୁ ସରକାର ଗଠନ ପାଇଁ ଜେଡିୟୁ, ଟିଡ଼ିପି ସମେତ ଅନ୍ୟ ଛୋଟ ଦଳଙ୍କ ସହାୟତା ନେଇଛି ବିଜେପି । ସରକାର ଗଠନରେ ବିହାର-ଆନ୍ଧ୍ରପ୍ରଦେଶର JDU ଓ TDP ର ଗୁରୁତ୍ୱପୂର୍ଣ ଭୂମିକା ରହିଛି | ତେଣୁ ବଜେଟରେ ଏହି ଦୁଇ ରାଜ୍ୟକୁ ମୋଦି ସରକାର ପ୍ରାଥମିକତା ଦେଇଥିବା ଦେଖିବାକୁ ମିଳିଥିଲା |
କେନ୍ଦ୍ର ବଜେଟ ରେ ବିହାର ପାଇଁ ୫୮ ହଜାର ୯ଶହ କୋଟି ଟଙ୍କା ବଜେଟ ଘୋଷଣା କରାଯିବା ସହ ତିନୋଟି ପ୍ରୋଜେକ୍ଟ ଉପରେ ଫୋକସ କରାଯାଇଛି । ସେପଟେ ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ୧୫ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ବଜେଟରେ ଓଡିଶା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମାତ୍ର ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ଆର୍ଥିକ ପ୍ୟାକଜର ପେଡି ଖୋଲିଯାଇଛି ।
ବିହାରରେ ନୂଆ ବିମାନବନ୍ଦର, ମେଡିକାଲ କଲେଜ, ରାଜପଥ ଆଦି ନିର୍ମାଣ କରାଯିବା ସହ ଆନ୍ଧ୍ରର ପୋଲଭରମ ପ୍ରକଳ୍ପକୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏହି ପୋଲଭରମ ପ୍ରକଳ୍ପକୁ ତୀବ୍ର ବିରୋଧ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସର ନେତା ମାନେ ।