
ନୂଆଦିଲ୍ଲୀ: ମୋଦି ୩.୦ ସରକାରର ପ୍ରଥମ ବଜେଟ ମଙ୍ଗଳବାର ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ। ବଜେଟ ଆଗତ ହେବ ପରେ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪-୨୫ ବଜେଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ରୋଜଗାର ଓ ସ୍ୱରୋଜଗାର ପାଇଁ ସୁଯୋଗ ବଢାଇବା ଆମ ସରକାରର ପରିଚୟ | ଆଜିର ବଜେଟ ଏହାକୁ ଅଧିକ ସୁଦୃଢ଼ କରିଛି | ଏହି ବଜେଟରେ ସରକାର ରୋଜଗାର ସହ ଜଡିତ ବିଭିନ୍ନ ପ୍ରୋତ୍ସାହନ ସ୍କିମର ଘୋଷଣା କରିଛନ୍ତି | ଦେଶରେ କୋଟି କୋଟି ନୂଆ ରୋଜଗାର ସୃଷ୍ଟି ହେବ | ଇଣ୍ଟର୍ନସିପ ଯୋଜନାରେ ଏ ଦେଶର ଯୁବକମାନେ ସବୁଠାରୁ ଭଲ ୫୦୦ କମ୍ପାନୀରେ କାମ କରିବାର ସୁଯୋଗ ପାଇବେ | ଆମେ ପ୍ରତି ସହର, ଗାଁ ଓ ପ୍ରତି ଘରେ ଉଦ୍ୟୋଗୀ ଗଢିବାକୁ ଚାହୁଁଛୁ | ସେଥିପାଇଁ ମୁଦ୍ରା ଲୋନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଛୁ | ଏହା ମଧ୍ୟମ ବର୍ଗଙ୍କୁ ନୂଆ ତାକତ ଦେଉଥିବା ଜନଜାତି ଓ ପଛୁଆ ବର୍ଗଙ୍କୁ ସଶକ୍ତ କରିପାରୁଥିବା ବଜେଟ | ଏହା ମହିଳାଙ୍କ ଆର୍ଥିକ ସ୍ଥିତି ମଜବୁତ କରିବାର ପ୍ରତିଶ୍ରୁତି ଦେଉଥିବା ବଜେଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ |
ଅନ୍ୟପକ୍ଷେ କଂଗ୍ରେସ ସଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ଗାଦୀ ବଞ୍ଚାଇବା ବଜେଟ ବୋଲି କହି ସମାଲୋଚନା କରିଛନ୍ତି | ଏକ୍ସରେ ରାହୁଲ ଲେଖିଛନ୍ତି, ଏହି ବଜେଟ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ | ସାଧାରଣ ଭାରତୀୟଙ୍କୁ ଅଶ୍ଵସ୍ତି କଲା ପରି ଏହି ବଜେଟରେ କିଛି ନାହିଁ | ଏଥିରେ ନୂଆ କିଛି ନାହିଁ, କେବଳ କଂଗ୍ରେସର ମାନିଫେଷ୍ଟ ଏବଂ ପୁରୁଣା ବଜେଟର କପି-ପେଷ୍ଟ |
ବଜେଟ ଘୋଷଣା ପରେ ଆନ୍ଧ୍ରପ୍ରଦେଶ ଜନତାଙ୍କ ପକ୍ଷରୁ ନିର୍ମଳା ସୀତାରମନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ | ସେ କହିଛନ୍ତି, ଆମ ରାଜ୍ୟର ଆବଶ୍ୟକତାକୁ ବୁଝି ୨୦୨୪-୨୫ ବଜେଟରେ ରାଜଧାନୀ, ପୋଲଭରମ ଏବଂ ରାଜ୍ୟର ପଛୁଆ ଇଲାକାର ବିକାଶ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି | କେନ୍ଦ୍ରରୁ ମିଳିଥିବା ଏହି ସହଯୋଗ ଆନ୍ଧ୍ର ପ୍ରଦେଶର ପୁନଃନିର୍ମାଣରେ ସାହାଯ୍ୟ କରିବ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ |
ସେହିପରି ଶିବସେନା ଏହାକୁ ଚୌକି ବଞ୍ଚାଇବା ବଜେଟ ବୋଲି କହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଜେଟକୁ ନେଇ ମୋଦି ସରକାର ଉପରେ ବର୍ଷିଛନ୍ତି | ସେ ଅଭିଯୋଗ କରିଛନ୍ତି, ଏହି ବଜେଟରେ ପଶ୍ଚିମବଙ୍ଗକୁ ସମ୍ପୂର୍ଣ ନଜର ଅନ୍ଦାଜ କରିଦିଆଯାଇଛି | ଏ ରାଜ୍ୟ କାହା ଦୟାରେ ବଞ୍ଚିନି ବୋଲି କହି ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ମମତା |