
ଫେବୃଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା ମାଟ୍ରିକ ପରୀକ୍ଷା ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା କରାଯାଇଛି l ଆସନ୍ତାବର୍ଷ ଫେବୃଆରୀ ୧୪ ତାରିଖରେ ହେବ ଯୁକ୍ତ ଦୁଇ ପରୀକ୍ଷା । ମାଟ୍ରିକ ଭଳି ୬ ମାସ ଆଗରୁ ତାରିଖ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ସୂଚନା ଅନୁଯାୟୀ ଫେବୃଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା । ଏହା ପରେ ଯେତେ ଶୀଘ୍ର ଖାତା ଦେଖା ପଦ୍ଧତି ଆରମ୍ଭ ହୋଇ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଫଳାଫଳ । ତେବେ ଏନେଇ ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯେଉଁଥିରେ ଯୁକ୍ତ ଦୁଇ ଲାଗି ଦୁଇ ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ଉଲ୍ଲେଖ ରହିଛି । ଏହି ସୁଚି ଅନୁସାରେ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍ ପ୍ରକ୍ରିୟା ଶେଷ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏହାପରେ ଜାନୁୟାରୀ ଦ୍ଵିତୀୟ ରୁ ତୃତୀୟ ସପ୍ତାହ ଭିତରେ କାଉନସିଲକୁ ପ୍ରାକ୍ଟିକାଲ ପରୀକ୍ଷା ଫଳାଫଳ ଦାଖଲ କରାଯିବ l ତେବେ ଏସବୁ ନେଇ ସିଏଚଏସଇ ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଛି ।