
କର୍ଣ୍ଣାଟକ ସରକାର ଏବେ ନେଇଛନ୍ତି ଏକ କଡ଼ା ନିଷ୍ପତି l ଫେକ୍ ନ୍ୟୁଜ୍ ତଥା ମିଥ୍ୟା ସମାଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ସାବାଡ କରିବେ କର୍ଣ୍ଣାଟକ ସରକାର । ଏବେ ଏହି ଫେକ୍ ନ୍ୟୁଜର ସତ୍ୟତା ଖୋଜିବ ଫ୍ୟାକ୍ଟ ଚେକ୍ ୟୁନିଟ୍ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅନୁମତି ଦେଇଛନ୍ତି । ରାଜ୍ୟସ୍ତରୀୟ ଫ୍ୟାକ୍ଟ ଚେକ୍ ତଥା ସତ୍ୟତା ଅନୁସନ୍ଧାନ ୟୁନିଟ୍ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏହା ଦ୍ବାରା କେଉଁ ନ୍ୟୁଜ୍ର ସତ୍ୟତା କେତେ ଜାଣିବା ସହ ଫେକ୍ ନ୍ୟୁଜ୍ ପ୍ରସାର କରୁଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ଆଇଟି ମନ୍ତ୍ରୀ ପ୍ରିୟଙ୍କା ଖଡଗେଙ୍କ ନେତୃତ୍ବରେ କାମ କରିବ ଏହି ୟୁନିଟ୍ । ଗତକାଲି ବିଭିନ୍ନ ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ‘ଫେକ୍ ନ୍ୟୁଜ୍’ ଗଣତନ୍ତ୍ର ପାଇଁ ବିପଦ । ସମାଜରେ ଏହି ଫେକ ନ୍ୟୁଜ୍ ଖୁବ କୁପ୍ରଭାବ ପକାଉଛି । ତେଣୁ ଫେକ୍ ନ୍ୟୁଜ ଉପରେ ନିହାତି ଭାବେ ରୋକ ଲାଗିବା ଦରକାର ବୋଲି ସେ କହିଛନ୍ତି । ସେପଟେ ଆଇଟି ମନ୍ତ୍ରୀ ପ୍ରିୟଙ୍କା ଖଡଗେ କହିଛନ୍ତି ଯେ ଫେକ୍ ନ୍ୟୁଜ୍ଗୁଡ଼ିକର ଚିହ୍ନଟ କରିବା ଦ୍ବାରା ହିଁ ରାଜ୍ୟରେ ଆଇନ୍ ଶୃଙ୍ଖଳା ସୁରକ୍ଷିତ ରହିପାରିବ । ଫ୍ୟାକ୍ଟ ଚେକ୍ ୟୁନିଟ୍ ପରବର୍ତ୍ତୀ ସମୟରେ ଗୃହ ମନ୍ତ୍ରାଳୟ ଅଧୀନରେ ଆସିବ ବୋଲି ସେ କହିଛନ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଯେଉଁ ଫେକ୍ ନ୍ୟୁଜ୍ ଦ୍ବାରା କୌଣସି କ୍ଷତି ହେବ ନାହିଁ ବୋଲି ଜଣାପଡ଼ିବ ସେଭଳି ନ୍ୟୁଜ୍ଗୁଡ଼ିକୁ ବନ୍ଦ କରିବା ସହ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାକୁ ସତର୍କ କରାଇଦିଆଯିବ । କିନ୍ତୁ ଯେଉଁ ଫେକ୍ ନ୍ୟୁଜ ରାଜ୍ୟ ପାଇଁ ହାନିକାରକ ସେଭଳି ନ୍ୟୁଜକୁ ପ୍ରାଥମିକତା ଭିତ୍ତିରେ ଅନୁସନ୍ଧାନ କରିବା ସହ ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।