ପ୍ରବଳ ଘଡ଼ଘଡ଼ି ସହ ଟ୍ୱିନ୍ ସିଟିରେ ଢ଼ାଳୁଛି ବର୍ଷା । ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ସତର୍କତା ଜାରି କରାଯାଇଥିଲା । ଦୁଇ ଘଣ୍ଟା ପାଇଁ ଭୁବନେଶ୍ୱର ଓ କଟକ ସହରକୁ ସତର୍କ ସୂଚନା ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ଏବେ ବର୍ଷା ଟିକେ କମିଛି l କିନ୍ତୁ ରାସ୍ତା ଘାଟ ଚାରିଆଡେ ପାଣି ଓ ଟ୍ରାଫିକ ସମସ୍ୟା ଲୋକଙ୍କୁ ବେହାଲ କରିସାରିଲେଣି l ରାଜଧାନୀରେ ଡ୍ରେନେଜ ଓ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ପ୍ରତ୍ୟକ ଥର ବର୍ଷା ହେଲେ ଏପରି ସମସ୍ୟା ଉପୁଜୁଛି l
ସେହିପରି କଟକ- ଭୁବନେଶ୍ୱର ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି । ବୌଦ୍ଧ ଜିଲ୍ଲାରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ମଧ୍ୟ୍ୟ ସୂଚନା ମିଳିଛି । ରାଉତବାହାଲ ଗାଁରେ ବିଲରେ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଛି । ଆଜି ରାଜଧାନୀରେ ରେ ମଧ୍ୟ ଭାୟାବହ ବଜ୍ରପାତ ହୋଇଛି l ତେବେ କାହାର କିଛି କ୍ଷତି ହୋଇଥିବା ସୂଚନା ଏଯାଏଁ ମିଳିନାହିଁ l
ସେପଟେ ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ହେବାକୁ ଥିବା ଘୁର୍ଣ୍ଣବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟର ୨୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ….ଅନ୍ୟପଟେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରି ଅଧିକ ରହୁଛି । ତେଣୁ ଭୟଙ୍କର ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୧.୬ମିମି ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୮୦% କମ୍ ।