ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ତାଳସରା ନିର୍ବାଚନ ମଣ୍ଡଳୀରୁ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ପୂର୍ବତନ ହକି ତାରକା ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ସମାନ ଜିଲ୍ଲାର ଅନ୍ୟତମ ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କି ବିଜେଡିରେ ସାମିଲ ହୋଇ ରାଜ୍ୟସଭା ସାଂସଦ ହୋଇଥିଲେ। ଏବେ ପ୍ରବୋଧ ତିର୍କି ଏନେଇ ଆଗ୍ରହୀ ଥିବା ଜଣା ପଡିଛି l
ଆଦିବାସୀଙ୍କୁ ସରକାରୀ ଯୋଜନାରେ କୌଣସି ସୁବିଧା ମିଳୁ ନ ଥିବାରୁ ତାଙ୍କ ଅଞ୍ଚଳର ଲୋକମାନେ ଅବହେଳିତ ବୋଲି ଦୁଃଖ ପ୍ରକାଶ କରି ତିର୍କି ତାଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। କଂଗ୍ରେସ ଦଳ ସହ ତାଙ୍କ ପରିବାରର ଦୀର୍ଘ ଦିନର ସମ୍ପର୍କ ବିଷୟରେ ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି ଯେ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ କଂଗ୍ରେସର ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ସେ କଂଗ୍ରେସରେ ଯୋଗ ଦେଇ ଲୋକଙ୍କ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
୧୯୮୪ ଅକ୍ଟୋବର ୬ରେ ସୁନ୍ଦରଗଡ଼ରେ ଜନ୍ମିତ ପ୍ରବୋଧ ତିର୍କୀ ୨୦୦୦ ମସିହାରେ ଜୁନିୟର ଏସିଆ କପ୍ ରେ ପଦାର୍ପଣ କରିଥିଲେ। ସେ ସବ୍-ଜୁନିୟର, ଜୁନିୟର ଏବଂ ଇଣ୍ଡିଆ-ଏ ଦଳର ଜାତୀୟ ଅଧିନାୟକ ଥିଲେ ଏବଂ ଶେଷରେ ଇଣ୍ଡିଆ ସିନିୟର ଦଳର ଅଧିନାୟକ ହୋଇଥିଲେ। ସେ ୨୦୦୭ରେ ଚେନ୍ନାଇରେ ଆୟୋଜିତ ଏସିଆ କପ୍ ବିଜେତା ଭାରତୀୟ ଦଳରେ ଖେଳିଥିଲେ l ସେ ମୋଟ ୧୩୫ ଅନ୍ତର୍ଜାତୀୟ କପ୍ ପାଇଁ ଖେଳିଛନ୍ତି। ପ୍ରବୋଧ ତିର୍କୀଙ୍କୁ ୨୦୦୧ରେ ଏକଲବ୍ୟ ପୁରସ୍କାର ଓ ୨୦୦୯ରେ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।