ଆନନ୍ଦପୁରର ସହିଦ ଯବାନ ସୁଶାନ୍ତଙ୍କ ଚିତା ନ ଲିଭୁଣୁ ଓଡିଶା ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି । ଆଉ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନାଲରମ୍ଭା) ଗ୍ରାମର ଜଣେ ଯବାନ ସହିଦ ହୋଇଛନ୍ତି l ସହିଦ ଯବାନଙ୍କ ନାମ ନୀଳାଞ୍ଚଳ ପଟେଲ । ସେ କର୍ତ୍ତବ୍ୟରତ ଥିବା ସମୟରେ ଦୁର୍ଘଟଣାରେ ସହିଦ ହୋଇଛନ୍ତି । ସେ 48 – ଆସାମ୍ ରାଇଫଲ୍ରେ ମଣିପୁରରେ କାର୍ଯ୍ୟରତ ଥିଲେ । । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପେଟ୍ରୋଲିଂ କରୁଥିଲେ । ଗାଡ଼ି ଦୁର୍ଘଟଣା ହେବା ଫଳରେ ତାଙ୍କ ବିୟୋଗ ହୋଇଥିବା ଜଣାପଡ଼ିଛି । ସୁନାଲରମ୍ଭା ଗ୍ରାମର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ନୀଳାଞ୍ଚଳ ସାନ । ସେ 2004 ମସିହାରେ ଆସାମ ରାଇଫଲ୍ରେ ଯୋଗ ଦେଇଥିଲେ । ଚାରି ବର୍ଷ ହେଲା ସେ ସ୍ତ୍ରୀ ରାଜେଶ୍ବରୀ ଏବଂ ଦୁଇ ଝିଅ ରାନି, ରାନୁଙ୍କ ସହ ମଣିପୁରରେ ରହୁଥିଲେ । ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା’ ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି । ଏହି ଘଟଣା ସାରା ଗାଁକୁ ସ୍ତବ୍ଧ କରି ଦେଇଛି । ରବିବାର ତଥା ତାଙ୍କ ମରଶରୀର ଗାଁରେ ପହଞ୍ଚିବ l ଏହା ପରେ ସେଠାରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ । ସହିଦ ନୀଳାଞ୍ଚଳଙ୍କ ବିୟୋଗରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ସତରେ ଓଡିଶା ପାଇଁ ଏହା ଏକ ଖୁବ ଦୁଃଖଦ ଘଟଣା l ଗତକାଲି ଜଣେ ଯବାନଙ୍କ ଚିତା ଜାଳିଥିବା ବେଳେ ଆଜି ଆଉ ଜଣେ ଯବାନ ଙ୍କ ଚିତା ଜଳିବ l
ପୁଣି ଜଣେ ଓଡ଼ିଆ ଯବାନ ସହିଦ
