Site icon UTKAL PRATIDIN

ପାନ୍ କାର୍ଡ ବନ୍ଦ କଲେ ସରକାର

8

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟସୀମା ମଧ୍ୟରେ ଆଧାର କାର୍ଡ ଓ ପାନ୍ କାର୍ଡ ଲିଙ୍କ୍ ହୋଇନଥିବାରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ଏନେଇ ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସଚେଞ୍ଜ(ସିବିଡି଼ଟି) ସୂଚନା ଦେଇଛନ୍ତି। ପାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବାର ସମୟସୀମା ୩୦ ଜୁନ ଥିଲା। ଯେଉଁମାନେ ଏହି ସମୟସୀମା ମଧ୍ୟରେ ଦୁଇଟି କାର୍ଡ଼ ଲିଙ୍କ କରି ନଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଦେଶରେ ବର୍ତ୍ତମାନ ପନକାର୍ଡ ସଂଖ୍ୟା ୭୦.୨୪ କୋଟିରେ ପହଞ୍ଚିଛି। ଏଥିରୁ ୫୭.୨୪ କୋଟି ଲୋକେ ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିଛନ୍ତି। ପ୍ରାୟ ୧୨ କୋଟି ଲୋକେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟାକୁ ପାଳନ କରିନାହାଁନ୍ତି। ଏଥିରୁ ୧୧.୫ କୋଟି କାର୍ଡକୁ ଡିଆକ୍ଟିଭେଟ ବା ନିସ୍କ୍ରିୟ କରିଦିଆଯାଇଛି। ଏହି ଆରଟିଆଇ ମଧ୍ୟପ୍ରଦେଶର ଆରଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌରଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଏହାର ଜବାବରେ ସୂଚନା ଦିଆଯାଇଥିଲା ଯେ ନୂତନ ପ୍ୟାନ କାର୍ଡ ତିଆରି କରିବା ସମୟରେ ଆଧାର ସହିତ ସଂଯୁକ୍ତ କରାଯିବ। ଯେଉଁମାନେ ୧ ଜୁଲାଇ ୨୦୧୭ ପୂର୍ବରୁ ପାନ୍ କାର୍ଡ ତିଆରି କରିଥିଲେ ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ଆୟକର ଅଧିନିୟମର ଧାରା ୧୩୯ଏଏ ଅନୁଯାୟୀ, ପାନ୍ କାର୍ଡ ଏବଂ ଆଧାରକୁ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଦେଶ ଅନୁଯାୟୀ, ଯେଉଁମାନେ ପାନ୍-ଆଧାର ଲିଙ୍କ୍ ପାଇବାରେ ବିଫଳ ହୁଅନ୍ତି, ସେମାନେ ୧୦୦୦ ଟଙ୍କା ଜୋରିମାନା ଦେଇ ସେମାନଙ୍କ କାର୍ଡକୁ ପୁଣିଥରେ ସକ୍ରିୟ କରିପାରିବେ।

ପାନ୍ କାର୍ଡ ବନ୍ଦ ହେତୁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସିବିଡିଟି ଅନୁଯାୟୀ, ଏହିପରି ଲୋକମାନେ ଆୟକର ଫେରସ୍ତ ଦାବି କରିପାରିବେ ନାହିଁ। ଆଧାର ଏବଂ ପାନ୍ କାର୍ଡ ଲିଙ୍କ ନଥିଲେ ଡେମୈଟ୍ ଆକାଉଣ୍ଟ ଖୋଲାଯାଇ ପାରିବ ନାହିଁ ଏବଂ ମ୍ୟୁଚୁଆଲ୍ ଫଣ୍ଡ ୟୁନିଟ୍ କ୍ରୟ ପାଇଁ ଦେୟ ୫୦,୦୦୦ ରୁ ଅଧିକ ହେବ ନାହିଁ। ସେୟାର କ୍ରୟ ଏବଂ ବିକ୍ରୟ ପାଇଁ ଆପଣ ୧ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ସମର୍ଥ ହେବେ ନାହିଁ। ଗାଡି କିଣିବା ଉପରେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିବ। ବ୍ୟାଙ୍କରେ ଏଫଡି ଏବଂ ସେଭିଂ ଆକାଉଣ୍ଟ ବ୍ୟତୀତ କୌଣସି ଆକାଉଣ୍ଟ ଖୋଲାଯିବ ନାହିଁ। କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦିଆଯିବ ନାହିଁ। ବୀମା ପଲିସି ପ୍ରିମିୟମ ପାଇଁ ଆପଣ ୫୦,୦୦୦ ରୁ ଅଧିକ ଦେୟ ଦେବାକୁ ସମର୍ଥ ହେବେ ନାହିଁ। ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଉପରେ ଅଧିକ ଟିକସ ରହିବ।

Exit mobile version