Site icon UTKAL PRATIDIN

ପାଣି ଘେରରେ ୪ଟି ଜିଲ୍ଲା

photo_6226533047176639627_y

ଲଗାତାର ବର୍ଷା ପରେ ଏବେ ବନ୍ୟାର ବିଭିଷିକା l କେନ୍ଦୁଝରରୁ ଢେଙ୍କାନାଳ, ଯାଜପୁରରୁ ଭଦ୍ରକ ୪ ଜିଲ୍ଲାକୁ ଭୟ ବଢ଼ାଇଛି ବୈତରଣୀ ନଦୀର ଜଳସ୍ତର। ଏବର୍ଷର ପ୍ରଥମ ବନ୍ୟାଜଳ ବୈତରଣୀ ଓ ବ୍ରାହ୍ମଣୀ ସମେତ ଏହାର ଶାଖାନଦୀ ସବୁ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବାବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଏବେ ଉବୁଟୁବୁ ଅବସ୍ଥାରେ। ଆଜି ବୈତରଣୀ ଜଳସ୍ତର ଖସିଥିଲେ ବି ରାଇଜିଂ ଟ୍ରେଣ୍ଡରେ ଥିବା ବ୍ରାହ୍ମଣୀ କିନ୍ତୁ ବିପଦ ବଢ଼ାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ରେସ୍କ୍ୟୁ ଟିମକୁ ସଜାଗ ରଖାଯାଇଛି l ବର୍ଷର ପ୍ରଥମ ବନ୍ୟାଜଳ ମାଡ଼ି ଆସିବା ପରେ ସ୍ଥିତି ଏବେ ଭୟଙ୍କର । ଏ ଚିତ୍ର ବ୍ରାହ୍ମଣୀ ନଦୀର। ସମଲ ବ୍ୟାରେଜର ୭ଟି ଗେଟ୍ ଫିଟାଇଦେବା ପରେ ଜେନାପୁରରେ ବିପଦ ସଂକେତ ପାଖକୁ ଆସିଯାଇଛି ବ୍ରାହ୍ମଣୀର ବନ୍ୟା ପାଣି। ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ବେଢା ଏବେ ଜଳବନ୍ଦୀ। ତେବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କୋରାଇ ବ୍ଲକ ସାଳବା ଗାଁ। କେବଳ କୋରାଇ ବ୍ଲକ ନୁହେଁ, ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର, ବିଞ୍ଝାରପୁର ବ୍ଲକ ସାଂଘାତିକ ପ୍ରଭାବିତ ହେଲାଣି ବୈତରଣୀ ନଦୀରେ ଆସିଥିବା ବର୍ଷର ପ୍ରଥମ ବନ୍ୟା ଜଳରେ। ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବାରୁ ବହୁ ଗାଁ ଭୂଇଁ ସହ ଚାଷବାସ ଜଳବନ୍ଦୀ ହୋଇଯାଇଛି। ବୈତରଣୀ ବନ୍ୟାର ଆଁରେ ଭଦ୍ରକ ଜିଲ୍ଲା। ଏଠି ବି ରାସ୍ତା ଉପରେ ପାଣି ଚାଲୁଛି, ଦାଣ୍ଡ ଘରୁ ଗୁହାଳ ଯାଏଁ ପଶିଯାଇଛି ବନ୍ୟା ପାଣି। ମାଳଦାରେ ଷଣ୍ଢପୁର-ଦୋବଲ ମଧ୍ୟରେ ବିଛିନ୍ନ ହୋଇଯାଇଛି ଯୋଗାଯୋଗ। କଣ୍ଟିଘାଇ, ଗୌରାଙ୍ଗପୁର ମଲ୍ଲୀ ମାହାରା ଏବଂ ଗେଙ୍ଗୁଟି ନଦୀର କନକେଇ ଏସକେପରୁ ବନ୍ୟା ଜଳ ନିର୍ଗତ ହୋଇ ଚାଷ ଜମି ଓ ଗାଁ ଗଣ୍ଡାରେ ପଶିଛି ବନ୍ୟା ପାଣି। ଏହି ପାଣି ଦ୍ବାରା ଭଣ୍ଡାରିପୋଖରୀ ବ୍ଲକର ୮ଟି ପଞ୍ଚାୟତ ଏବଂ ଧାମନଗର ବ୍ଲକର ୧୨ଟି ପଂଚାୟତ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ସେହିପରି ଧାମନଗର ବ୍ଲକର ପ୍ରାୟ ୨୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସେପଟେ ଧାମନଗର ବ୍ଲକ ଦୋବଲ କାଳିପଡିଆରେ ବନ୍ୟାପାଣି ମାଡ଼ିଯାଇଛି ବିଶ୍ୱ ଦରବାର ଯାତ୍ରା ପ୍ୟାଣ୍ଡେଲକୁ। କାଲିଠାରୁ ୩ଦିନ ଧରି ଚାଲିଥାନ୍ତା ଯାତ୍ରା । କିନ୍ତୁ ସବୁକିଛି ଉଜୁଡ଼ିଯାଇଛି। ଏପଟେ ଗେଙ୍ଗୁଟି ନଦୀର ପାହାଡପୁର ଏସକେପ୍ ନିକଟରେ ଜଣେ ୧୦ ବର୍ଷର ପୁଅ ଶୌଚ ପାଇଁ ଯାଇ ନିଖୋଜ ଥିବା ଅଭିଯୋଗ ହୋଇଥିବାବେଳେ ଝୁଟନାରେ ନଦୀ ମଝିରେ ଫସିରହିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଏଭଳି ଜଳବନ୍ଦୀ ସମସ୍ୟା ଭିତରେ ଧାମନଗର ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ତେଣେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଟପିଛି ବୈତରଣୀର ଜଳସ୍ତର। ଫଳରେ ଜିଲ୍ଲାର ୧୩ଟି ବ୍ଲକ ଓ ୫ଟି ମୁନିସିପାଲଟିରେ ପଶିଛି ବନ୍ୟାପାଣି। ବର୍ଷା ଆଉ ବନ୍ୟାରେ ଜଣେ ମହିଳାଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହୋଇଥିବାବେଳେ ୨୦୮ଟି ଘର ଭାଙ୍ଗିଥିବା ସୂଚନା ମିଳିଛି। ସେହିପରି ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ଢେଙ୍କାନାଳ ବାଇଁଶିଆ ପଞ୍ଚାୟତର କଙ୍କା ଗାଁ। ଦୌଡେଶ୍ୱର ମହାଦେବ ମନ୍ଦିରର। ବ୍ରାହ୍ମଣୀ ଅବବାହିକାରେ ଥିବା ଏହି ମନ୍ଦିରରେ ବନ୍ୟାଜଳ ପଶି ନୀତିକାନ୍ତି ପ୍ରଭାବିତ ହୋଇଛି। ଅପରପକ୍ଷେ ଗଁନ୍ଦିଆ ବ୍ଲକ କୁଆଁରିଆ ନାଳରେ ଭାସିଯାଇ ଜଣେ ବ୍ୟକ୍ତି କାଲିଠୁ ନିଖୋଜ ଥିବାବେଳେ ବ୍ରାହ୍ମଣୀର ବନ୍ୟାଜଳରେ ଫସିରହିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ଆଜି ସକାଳୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ତେବେ ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟା ସଂପର୍କରେ ସୂଚନା ଦେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବୈତରଣୀ ଜଳସ୍ତର ଏବେ ଧୀରେ ଧୀରେ କମୁଛି କିନ୍ତୁ ବ୍ରାହ୍ମଣୀ ନଦୀ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି l ତେବେ ଲଗାତାର ବର୍ଷା ଲୋକଙ୍କୁ ହନ୍ତସନ୍ତ କରିବା ପରେ ଏବେ ବନ୍ୟାର ତାଣ୍ଡବ ଜାରି ରହିଛି l

Exit mobile version