ବିଦ୍ୟାଳୟ ଏକ ପବିତ୍ର ସ୍ଥାନ ବୋଲି ଭୁଲିଗଲେ ମଦ୍ୟପ ଶିକ୍ଷକ । ନିଜ ସହକର୍ମୀଙ୍କ ସହିତ ବିଦ୍ୟାର ମନ୍ଦିର ମଧ୍ୟରେ ପାଠପଢ଼ା ଛାଡ଼ି ମଦ ମାଂସରେ ମାତିଗଲେ ଶିକ୍ଷକ । ବର୍ତ୍ତମାନ ମଦ୍ୟପ ଶିକ୍ଷକଙ୍କ ମଦପାନବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ହରଭଙ୍ଗା ବ୍ଲକର ମହାଲିକପଡା ପଞ୍ଚାୟତ ଅନ୍ତର୍ଗତ ଜାବର ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଜଣେ ଶିକ୍ଷକ ବିଦ୍ୟାଳୟର ଶ୍ରେଣୀ ଗୃହ ଭିତରେ ନିଜ ସହକର୍ମୀଙ୍କ ସହିତ ମଦ୍ୟପାନ କରୁଥିବା ଖବର ପାଇ ସ୍ଥାନୀୟ ଓ୍ବାର୍ଡ ମେମ୍ବର ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଚାଲିଥିବା କାର୍ଯ୍ୟର ଭିଡିଓ ଉତ୍ତୋଳନ କରିଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଦେବା ବଦଳରେ ସେହି ସମୟରେ ଉକ୍ତ ମଦ୍ୟପ ଶିକ୍ଷକ ଶ୍ରେଣୀ ଗୃହରେ ମଦ ମାଂସର ଆସର ଜମାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଦୈନିକ ଏଭଳି ଅନୈତିକ କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏନେଇ ପ୍ରଶାସନ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ତେବେ ବର୍ତ୍ତମାନ ଜାବର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଏଭଳି ଘଟଣାକୁ ଜିଲ୍ଲା ଶିକ୍ଷା ବିଭାଗ ଗୁରୁତର ସହ ନେଇ ଏହାର ତଦନ୍ତ ପାଇଁ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି,’’ଏଭଳି ଅନୈତିକ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
