
୨୦୨୪ରେ ବଢିବ ତାତି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆସନ୍ତା ବର୍ଷ ପାଇଁ ସାରା ବିଶ୍ୱକୁ ସତର୍କବାଣୀ ଶୁଣାଇଛି । ୨୦୨୪ରେ ତାତି ଆହୁରି ବଢିବ । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ସତର୍କ କରିଛନ୍ତି ନାସା ମୁଖ୍ୟ ।ନାସାର ରିପୋର୍ଟ ଅନୁଯାୟୀ ୧୮୮୦ ମସିହା ପରେ ଏଥର ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ ଥିଲା । ଚଳିତ ବର୍ଷ ଜୁଲାଇ ୩ରୁ ଅଗଷ୍ଟ ୭ ତାରିଖ ଏବେଯାଏଁ ଗ୍ରୀଷ୍ମ ପରେ ସବୁଠୁ ଉତପ୍ତ ସମୟ ଥିଲା । ଫଳରେ ସାରା ବିଶ୍ୱରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି । ଏହି ବର୍ଷ ଆମେରିକା ଏବଂ ୟୁରୋପର ଅନେକ ସହରରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା । ଏହାଛଡ଼ା ୟୁରୋପର କିଛି ଜଙ୍ଗଲରେ ନିଆଁ ଲାଗିଥିଲା । ଏପରିକି ଚଳିତ ବର୍ଷ ଆମେରିକାରେ ଗରମ ସବୁ ରେକର୍ଡ ଭାଙ୍ଗିଥିଲା । ଏସବୁ ତାପମାତ୍ରାରେ ଅସାମାନ୍ୟ ବୃଦ୍ଧି ଯୋଗୁଁ ଘଟୁଛି । ଅତିଶୟ ମାତ୍ରାରେ କାର୍ବନ ଡାଇଅକ୍ସାଇଡ୍ ସହ ଅଲ ନିନୋ ମିଶୁଥିବାରୁ ଏଭଳି ସମସ୍ୟା ହେଉଛି । ୨୦୨୪ରେ ଏହା ଆହୁରି ବଢିବ । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ସତର୍କ କରିଛନ୍ତି ନାସା ମୁଖ୍ୟ । ନାସା ଆଡମିନିଷ୍ଟ୍ରେଟର ବିଲ୍ ନେଲସନ କହିଛନ୍ତି, ଏହି ତଥ୍ୟରୁ ବିଶ୍ବର କୋଟି କୋଟି ଲୋକ ପ୍ରକୃତରେ କିପରି ଅନୁଭବ କରିଥିଲେ ତାହା ବାରି ହୋଇ ପଡ଼ୁଛି । ଜୁଲାଇ ୨୦୨୩ରେ ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗିବା ସହ ସବୁଠୁ ଉତ୍ତପ୍ତ ମାସରେ ପରିଣତ ହୋଇଥିଲା। ଆମେରିକାବାସୀ ଜଳବାୟୁ ସଙ୍କଟର ପ୍ରଭାବକୁ ସ୍ପଷ୍ଟ ଅନୁଭବ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆମେରିକା, ଉତ୍ତର ଆଫ୍ରିକା, ଉତ୍ତର ଆମେରିକା ଏବଂ ଆଣ୍ଟାର୍କଟିକ୍ ଉପଦ୍ୱୀପର କିଛି ଅଞ୍ଚଳରେ ଭୀଷଣ ଗରମ ଅନୁଭୂତ ହୋଇଥିଲା । ହାରାହାରି ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ପାଇଥିଲା । ଭୟଙ୍କର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ ହେବା ସହ ବହୁ ଲୋକଙ୍କ ରୋଗ ଏବଂ ମୃତ୍ୟୁର କାରଣ ହୋଇଥିଲା ଏହି ତାପମାତ୍ରା ବୃଦ୍ଧି ।