Site icon UTKAL PRATIDIN

ନବୀନ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

photo1691236503

 
ଭୁବନେଶ୍ୱର : ଓଡ଼ିଶାର ବିକାଶରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ଲୋକସେବା ଭବନରେ ଓଡ଼ିଶାର ୨ଟି ଏନଏଚ୍ ପ୍ରକଳ୍ପର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମହାହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିକୁ ଆସିଥିବାରୁ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରୂପାନ୍ତରଣ ଜରିଆରେ ନୂଆ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସାଜିଛି । ଲୋକଙ୍କ ଉନ୍ନତିରେ ମୋ ସରକାର ବିଶ୍ୱାସ ରଖେ । ଉତ୍ତମ ଯୋଗାଯୋଗ ଉଭୟ ରାଜ୍ୟ ଓ ସାଧାରଣ ଲୋକଙ୍କ ପ୍ରଗତିର ସବୁଠୁ ବଡ ମାଧ୍ୟମ । ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡିଶା ସହ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ୱେ ଓ ଇକୋନୋମିକ କରିଡର ଯୋଗାଯୋଗ ବିରାଟ ପରିବର୍ତ୍ତନ ଆଣିଛି। ପୂର୍ତ୍ତ ବିଭାଗରେ ରାଜ୍ୟ ସରକାରଙ୍କ ବଜେଟ ୯୮ ପ୍ରତିଶତ ବଢିଛି । ୨୦୦୦ ମସିହାରେ ୨୮୦ କୋଟି ବଜେଟ ଥିବା ବେଳେ ଏଥର ଏହା ୫୦ ହଜାର କୋଟିରେ ପହଞ୍ଚିଛି । ଏହି ବର୍ଷ ସରକାର ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅବିଭାଷଣରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କିଛି ମାସ ପୂର୍ବେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର ନିର୍ମାଣ କରାଯାଇଛି । ମାଲକାନଗିରିରେ ଗ୍ରୀନଫିଲ୍ଡ ବିମାନବନ୍ଦରର କାମ ଜାରି ରହିଛି । ଓଡ଼ିଶା ସବୁବେଳେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରେ ।
ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରି ପ୍ରଶଂସା କରିଛନ୍ତି । ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବା ସହ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମିତ ଶାହ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଥିବାରୁ ତାଙ୍କୁ ମୋର ଅନେକ ଶୁଭେଚ୍ଛା । ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନଏଚ-୫୩ରେ କାମାକ୍ଷାନଗର-ଡ଼ୁବୁରିକୁ ୪ ଲାଇନ୍ ବିଶିଷ୍ଟ ରାସ୍ତ ପ୍ରକଳ୍ପର ଉଦଘାଟନ ହୋଇଛି । ଏଥି ସହ କଳାହାଣ୍ଡି କୋକସରା ବ୍ଲକର ମୋଟେରୁ ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ରାସ୍ତାର ସୁଦୃଢିକରଣ ଓ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରଛନ୍ତି ଅମିତ୍ ଶାହ । ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା କରିବାରେ ମଧ୍ୟ ପଛରେ ରହିନାହାନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ l

Exit mobile version