
ନବୀନ ପଟ୍ଟନାୟକଙ୍କୁ ଗିରଫ କର। ଗୃହର ନିୟମ ଭାଙ୍ଗିଛନ୍ତି ବିରୋଧୀ ଦଳ ନେତା । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ।ଏଥିପାଇଁ ତାଙ୍କୁ ଗିରଫ କରାଯିବା କଥା । ଏମିତି ଦାବୀ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ଏପରି ଦାବୀକୁ ବି ସମର୍ଥନ କରିଛନ୍ତି ଦଳର ଅନ୍ୟ ସଦସ୍ୟ । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁମ୍ଭିତୋଫାନ। ସରକାରଙ୍କ ଏପରି ଦାବିକୁ ନେଇ ଗର୍ଜିଛି ବିଜେଡି।ଏପରି କହି ନୂଆ ସରକାର ତାଙ୍କ ଅନଭିଜ୍ଞତାର ପରିଚୟ ଦେଇଛନ୍ତି ବୋଲି କହିଛି ବିଜେଡି।
ମୋହନ ସରକାରଙ୍କ ପ୍ରଥମ ଅଧିବେଶନରେ ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ ।ରାଜ୍ୟପାଳଙ୍କ ପୁଅ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ଆକ୍ରମଣ ଘଟଣାକୁ ଜୋରଦାର ବିରୋଧ କରିଥିଲା ବିଜେଡି। ଓଡ଼ିଆ ଅସ୍ମିତା କଥା କହି ବିଜେପିକୁ ଟାର୍ଗେଟ କରିଥିଲା। ଗୃହରେ ରାଜ୍ୟପାଳ ଅଭିଭାଷଣ ଦେବା ସମୟରେ ଆସନରୁ ଉଠି ଚାଲି ଆସିଥଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତକାଲି ୨ୟ ଦିନରେ ଏହାକୁ ଇସ୍ୟୁ କରିଛି ବିଜେପି । ଏପରି କରି ନବୀନ ପଟ୍ଟନାୟକ ଗୃହର ନିୟମ ଭାଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ନେଇ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ନବୀନଙ୍କ ଗିରଫ ଦାବୀ କରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କ୍ରୀଡ଼ା ଓ ଯୁବସେବା ବିଭାଗ ରାଷ୍ଟ୍ରମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଏହାକୁ ସମର୍ଥ କରି ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ପ୍ରକାର ଅନୁଶାସନହୀନତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସଂସଦ ପ୍ରକ୍ରିୟାରେ ସ୍ପଷ୍ଟ ଉଲ୍ଲେଖ ଥିବା ସେ କହିଛନ୍ତି |
ନବୀନଙ୍କ ଗିରଫ ଦାବି ନୂଆ ସରକାରଙ୍କ ଅନଭିଜ୍ଞତାର ପରିଚୟ ନା ସଂସଦୀୟ ପ୍ରକ୍ରିୟା ତାହା ଏଠି ପ୍ରସଙ୍ଗ ନୁହେଁ । ପ୍ରସଙ୍ଗ ଏଠି ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱାଭିମାନକୁ ନେଇ । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ଆଜି କ୍ଷମତାରୁ ଓହରି ଯାଇଛନ୍ତି ସତ, ହେଲେ ଓଡିଶାବାସୀଙ୍କ ହୃଦୟରୁ ଓହ୍ଲାଇ ନାହାନ୍ତି । ନବୀନ ଆଜି ବି ପ୍ରତିଟି ଓଡ଼ିଆଙ୍କର ଲୋକପ୍ରିୟ ନେତା।
ଯେଉଁଦିନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେଦିନ ଓଡିଶାବାସୀଙ୍କ ଭାବପ୍ରବଣତାକୁ ସମସ୍ତେ ଦେଖିଛନ୍ତି । ସେ ଦୃଶ୍ୟ କେଉଁଠି ନା କେଉଁଠି ସମସ୍ତଙ୍କୁ ଉଦାସ କରିଦେଇଥିଲା ।୨୦୨୪ ନିର୍ବାଚନରୁ ଗୋଟିଏ କଥା ସମସ୍ତେ ହୃଦବୋଧ କରିଛନ୍ତି, ବିଜେଡି ହାରିଛି, କିନ୍ତୁ ନବୀନ ହାରିନାହାନ୍ତି । ତେଣୁ ତାଙ୍କୁ ଗିରଫ କରିବା କଥା ଛାଡ଼, ଏପରି ଦାବୀକୁ ଲୋକେ ଗ୍ରହଣ କରିବେ ତ ? ନବୀନଙ୍କୁ ଟାର୍ଗେଟ କରିବା ନୂଆ ସରକାରଙ୍କ ପାଇଁ ବୁମେରାଙ୍ଗ ହୋଇ ଯିବନି ତ ?