UTKAL PRATIDIN

ଧରାପଡ଼ିବାରୁ ଗିଳିଦେଲେ ଲାଞ୍ଚ ଟଙ୍କା

ମଧ୍ୟପ୍ରଦେଶ : ଲାଞ୍ଚ ଟଙ୍କା ଗିଳିଦେଲେ ଜଣେ ସରକାରୀ କର୍ମଚାରୀ । ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ଲାଞ୍ଚ ନେଇଥିବା ୫ ହଜାର ଟଙ୍କାକୁ ଗିଳି ଦେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ l ଟଙ୍କା ଗିଳିଦେବା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର କଟନୀ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଲାଞ୍ଚ ଟଙ୍କା ନେବାବେଳେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତର ଏସ୍‌ପିଏଫ୍‌ ତାଙ୍କୁ ଧରିଥିଲେ l

ପତ୍‌ୱାରି ଗଜେନ୍ଦ୍ର ସିଂ ତାଙ୍କ ପ୍ରାଇଭେଟ୍‌ ଅଫିସରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ସେ ଜାଣିନଥିଲେ ତାଙ୍କୁ ଫସାଇବା ପାଇଁ ବୁଣା ଯାଇଥିବା ଜାଲରେ ସେ ଫସି ଯିବେ ଓ ସବୁକିଛି ପର୍ଦ୍ଦାଫାଶ ହୋଇଯିବ। ବରଖେଡା ଗାଁର ଜଣେ ବ୍ୟକ୍ତି ଗଜେନ୍ଦ୍ରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ପରେ ପୋଲିସ୍‌ ତାଙ୍କ ପ୍ରାଇଭେଟ୍‌ ଅଫିସ୍‌ରେ ରେଡ୍‌ କରିଥିଲା । ଯୋଜନା ମୁତାବକ, ଉକ୍ତ ବ୍ୟକ୍ତି ଗଜେନ୍ଦ୍ରଙ୍କୁ ୫ ହଜାର ଟଙ୍କା ଦେଉଥିବା ସମୟରେ ପୋଲିସ୍‌ ହଠାତ୍‌ ପହଞ୍ଚି ସରକାରୀ ଅଧିକାରୀଙ୍କୁ ଧରିଥିଲା। ହେଲେ ଧରାପଡ଼ିବା ଭୟରେ ଗଜେନ୍ଦ୍ର ସାଙ୍ଗେ ସାଙ୍ଗେ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା l ଏହାପରେ ବାନ୍ତି କରାଇ ତାଙ୍କ ପେଟରୁ ସେ ଟଙ୍କା ବାହାର କରାଯାଇଥିଲା l ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, ଏନେଇ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିସାରିଛି l

Exit mobile version