
ଏ ବଜେଟ ନିରସ ବଜେଟ। ଏ ବଜେଟରେ ବିକାଶ ପ୍ରତିଶ୍ରୁତି ନାହିଁ । ଡବଲ ଇଞ୍ଜିନ ଡବଲ ନିରାଶା । ଯାହା ବି କିଛି ଅଛି ତାହା କପି ପେଷ୍ଟ । ନବୀନଙ୍କ ବହିରେ ମୋହନଙ୍କ ମଲାଟ । ବିଜେପି ସରକାରର ପ୍ରଥମ ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ।
ବଜେଟ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବଜେଟରେ ବିଜେଡି ସରକାରର ୪୦ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ଯେଉଁ ଅସ୍ମିତା କଥା କହି କ୍ଷମତାକୁ ଆସିଛନ୍ତି ଏ ସରକାର, ବଜେଟରେ ସେ ଅସ୍ମିତାକୁ ଅପମାନିତ କରାଯାଇଛି । କାରଣ, ବିଜୁ ବାବୁ ଏ ରାଜ୍ୟର ସ୍ୱାଭିମାନର ପ୍ରତୀକ । ହେଲେ ସବୁ ଯାଜନାରୁ ବିଜୁଙ୍କ ନାଁ ହଟାଇବା ଅସ୍ମିତାର ଅପମାନ ନୁହେଁ କି ବୋଲି ପ୍ରଶ୍ନ କରିଛି ବିରୋଧୀ ବିଜେଡି । ଯେମିତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହଟାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବିଜୁ ସେତୁ ଯୋଜନାକୁ ହଟାଇ ସେତୁ ବନ୍ଧ ଯୋଜନା, ବିଜୁ ପକ୍କା ଘର ହଟାଇ ଅନ୍ତର୍ଦ୍ୱୟ ଗୃହ ଯୋଜନା ରଖାଯାଇଛି ।ଏହା ପୂର୍ବରୁ ବିଜୁ ପଟ୍ଟନାୟକ କ୍ରୀଡା ଯୋଜନାର ନାଁ ମଧ୍ୟ ହଟାଇବାକୁ ଉଦ୍ୟମ କରିଥିଲେ ଏ ସରକାର। ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ । ହେଲେ ବିରୋଧ ପରେ ଏହାକୁ ପ୍ରତ୍ୟାହାର କରିଥିଲେ । ଖାଲି ବିଜୁ ନୁହେଁ, ନବୀନଙ୍କ ନାଁକୁ ମଧ୍ୟ ହଟାଯାଇଛି। ଆମ ଓଡିଶା ନବୀନ ଓଡିଶା ହଟାଇ ବିକଶିତ ଗାଁ, ବିକଶିତ ଓଡ଼ିଶା ରଖାଯାଇଛି ।
ସେତିକି ନୁହେଁ , ବାର୍ଦ୍ଧକ୍ୟ ଭତ୍ତା ନାଁରେ ୩୦ ଲକ୍ଷ ଗରିବ ହିତାଧିକାରୀଙ୍କୁ ଠକିଛନ୍ତି ଏ ସରକାର । କାରଣ ବର୍ଦ୍ଧିତ ୩,୫୦୦ ଟଙ୍କା ଭତ୍ତା କେବେ ୮୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ବୋଲି ସରକାର କହିବା ପରେ ୩୦ ଲକ୍ଷ ହିତାଧିକାରୀ ହତାଶ ହୋଇଥିବା କହିଛନ୍ତି ବିରୋଧୀ ।