Site icon UTKAL PRATIDIN

ଦିଲ୍ଲୀର ବିଭିନ୍ନ କାନ୍ଥରେ ଭାରତ ବିରୋଧୀ ନାରା

WhatsApp Image 2023-08-27 at 16.30.23

ନୂଆଦିଲ୍ଲୀ: ଆସନ୍ତା ମାସରେ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଦେଖିବାକୁ ମିଳିଛି ଭାରତ ବିରୋଧୀ ନାରା l ଏହା ପ୍ରତିବନ୍ଧିତ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖ୍ ଫର୍‌ ଜଷ୍ଟିସ(SFJ)ର ଉନ୍ମତ୍ତ କାଣ୍ଡ ବୋଲି କୁହାଯାଉଛି । ରାଜଧାନୀ ଦିଲ୍ଲୀର ମେଟ୍ରୋ ଷ୍ଟେସନ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ୍‌ ଲେଖିଛନ୍ତି ଏହି ଖଲିସ୍ତାନୀ ସମର୍ଥକ । ସହରର ବିଭିନ୍ନ ମେଟ୍ରୋ ଷ୍ଟେସନ କାନ୍ଥରେ ‘ଦିଲ୍ଲୀ ବନେଗା ଖଲିସ୍ଥାନ’, ‘ଖଲିସ୍ତାନ ଜିନ୍ଦାବାଦ’ ଭଳି ଦେଶ ବିରୋଧୀ ନାରା ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାସହିତ ପଞ୍ଜାବ ଭାରତର ଅଂଶ ନୁହେଁ ଓ ଦିଲ୍ଲୀ ଭାରତର ଅଂଶ ନୁହେଁ ବୋଲି ମଧ୍ୟ ଲେଖାଯାଇଛି । ଏନେଇ ସୂଚନା ପାଇବା ପରେ ପୋଲିସ କାନ୍ଥରୁ ଏହି ସ୍ଲୋଗାନ୍‌କୁ ଲିଭାଇଛି ।

ଖଲିସ୍ତାନୀ ସମର୍ଥକମାନେ ରାଜଧାନୀର ପଞ୍ଜାବୀ ବାଗ, ଶିବାଜୀ ପାର୍କ, ମାଦିପୁର, ପଶ୍ଚିମ ବିହାର, ଉଦ୍ୟୋଗ ନଗର ଓ ମହାରାଜ ସୁରଜମଲ ଷ୍ଟାଡିୟମ ଇତ୍ୟାଦି ୱେଷ୍ଟ୍‌ ଦିଲ୍ଲୀରେ ଥିବା ମେଟ୍ରୋ ଷ୍ଟେସନରେ ଏହି ସ୍ଲୋଗାନ୍‌ ଲେଖିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏମାନେ ସମସ୍ତେ ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର୍ ଜଷ୍ଟିସ(SJF)ର ସଦସ୍ୟ । ନାଙ୍ଗଲୋଇରେ ଥିବା ସରକାରୀ ସର୍ବୋଦୟ ବିଦ୍ୟାଳୟ କାନ୍ଥରେ ମଧ୍ୟ ଭାରତ ବିରୋଧି ନାରା ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସକ୍ରିୟ ହୋଇଯାଇଛି । ସ୍ପେଶାଲ ସେଲ୍ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ମେଟ୍ରୋ ଷ୍ଟେସନ୍‌ଗୁଡ଼ିକ କାନ୍ଥରେ ସ୍ଲୋଗାନ୍‌ ଲେଖିଥିବା ଖଲିସ୍ତାନୀ ସମର୍ଥକମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ପୋଲିସ କହିଛି ଯେ, ଶିଖ୍ ଫର ଜଷ୍ଟିସ୍‌ ପକ୍ଷରୁ ଏହାର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁର ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ କାନ୍ଥରେ ଭାରତ ବିରୋଧୀ ନାରା ଲେଖା ଯାଇଥିବା ଦେଖିବାକୁ ମିଳୁଛି । ୨୦୦୭ରେ ଶିଖ୍ ଫର ଜଷ୍ଟିସର ଆରମ୍ଭ ହୋଇଥିଲା । ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଜାବରେ ଅଲଗା ଖଲିସ୍ତାନ ରାଷ୍ଟ୍ର ଗଠନ କରିବା ।

Exit mobile version