UTKAL PRATIDIN

ତେଲେଙ୍ଗାନାରେ ବର୍ଷାର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

 
ତେଲେଙ୍ଗାନା : ଉତ୍ତର ଭାରତ ପରେ ଏବେ ଦକ୍ଷିଣ ଭାରତରେ ବର୍ଷର ତାଣ୍ଡବ ଚାଲିଛି l ଲଗାଣ ବର୍ଷା ଯୋଗୁଁ ତେଲେଙ୍ଗାନାରେ ବର୍ଷାର ବିତ୍ପାତ ବଢ଼ିବାରେ ଲାଗିଛି । ନିକଟରେ ୧୪ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ଏବେ ୨୩କୁ ବୃଦ୍ଧି ହୋଇଛି । ରାଜ୍ୟର ମୁଲୁଗୁ ଜିଲ୍ଲାରେ ସର୍ବାଧିକ ୬୪୯.୮ ମିମି ବର୍ଷା ରେକର୍ଡ କରାଯାଇଛି । ୨୦୦୪ ପରେ ଚଳିତ ବର୍ଷ ସବୁଠୁ ଅଧିକ ବର୍ଷା ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେବା ସହ ସ୍ଥିତି ସଙ୍ଗୀନ ହୋଇପଡିଛି । ବହୁ ଅଞ୍ଚଳ ବନ୍ୟା ଜଳରେ ବୁଡ଼ି ରହିଛି l ବନ୍ୟା ଜଳରେ ବହୁ ଲୋକ ଫସିରହିଥିବା ମଧ୍ୟ ସୂଚନା ମିଳିଛି l ତେବେ ଲୋକଙ୍କୁ ସୁରକ୍ଷିତ ଭାବେ ଜଳମଗ୍ନ ସ୍ଥାନରୁ ବାହାର କରିବା ପାଇଁ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ସୂଚନା ଅନୁସାରେ ତେଲେଙ୍ଗାନା ଭୁପାଲପାଲି ଜିଲ୍ଲା ଅଧିନସ୍ଥ ମୋରଞ୍ଚପାଲି ଗାଁର ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।

ପ୍ରବଳ ବର୍ଷା ପାଣି ଜମିଥିବାରୁ ଟ୍ରାକ୍ଟରରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଶାସନିକ ଅଧିକାରୀ । ପ୍ରବଳ ବର୍ଷା ଯୋଗୁଁ ଓ ବନ୍ୟା ସ୍ଥିତିକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଏବେ ପାଇଁ ବନ୍ଦ ଘୋଷଣା କରାଯାଇଛି । ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୁଲୁଗୁ ଜିଲ୍ଲାର କୋଣ୍ତାଇ ଗାଁରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଞ୍ଚଳରେ ସବୁଠାରୁ ଅଧିକ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି l ତେଣୁ ଏହି ଅଞ୍ଚଳରେ ବୟୁସେନା ଓ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି । ଏହା ସହିତ ଉଦ୍ଧାର କାର୍ଯ୍ୟ ଅନବରତ ଭାବେ ଜାରି ରହିଛି ।

Exit mobile version