
ସମଗ୍ର ଦେଶରେ ଧମାଲ କରୁଛି ବଲିଉଡ଼ ସିନେମା ଗଦର ୨ । ମୁଖ୍ୟ ଅଭିନେତା ସନି ଦେଓଲଙ୍କୁ ଗଦର ୨କୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ସାରା ଦେଶରେ ସିନେମାର କ୍ରେଜ ଖୁବ୍ ଅଧିକ ରହିଥିବା ବେଳେ ଖୋଦ୍ ସନିଙ୍କ ସଂସଦୀୟ କ୍ଷେତ୍ର ଗୁରୁଦାସପୁରରେ ସିନେମାକୁ ବୟକଟ କରାଯାଇଛି । ତେବେ ସନି ଦେଓଲ ଜଣେ ଶ୍ରେଷ୍ଠ କଳାକାର ସହିତ ଜଣେ ରାଜନୀତିଜ୍ଞ ମଧ୍ୟ l ଅଭିନେତା ସନି ଦେଓଲ ଗୁରୁଦାସପୁର ସଂସଦୀୟ କ୍ଷେତ୍ରର ବିଜେପିର ସାଂସଦ । କିନ୍ତୁ ସନ୍ନିଙ୍କ ଇଲାକାର ଲୋକମାନେ ଏବେ ସନିଙ୍କ ଉପରେ ପୁରା ଖପ୍ପା ଅଛନ୍ତି । ସମଗ୍ର ଦେଶରେ ବନ୍ୟା ସ୍ଥିତି ଭୟାନକ ହୋଇଥିବା ବେଳେ ଗୁରୁଦାସପୁରର ବି ସ୍ଥିତି ବେହାଲ । ସେଠାକାର ସାଂସଦ ସନ୍ନିଙ୍କର କିନ୍ତୁ ଏଦିଗ ପ୍ରତି ଧ୍ୟାନ ନାହିଁ । ସେ ଫିଲ୍ମ ପ୍ରମୋସନ ଓ ସେଲିବ୍ରେସନରେ ମଜିଥିବା ବେଳେ ଏଠାରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସନି ଅଭିନୟକୁ ପୁରା ସମୟ ଦେଉଥିବା ବେଳେ ନିଜ ସଂସଦୀୟ କ୍ଷେତ୍ର ପ୍ରତି ତାଙ୍କର କୌଣସି ଦାୟିତ୍ୱ ନାହିଁ ବୋଲି ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି । ସାଂସଦ ଭାବେ ନିର୍ବାଚିତ ହେବା ଦିନଠୁ ସେ ଗୁରୁଦାସପୁର କି ଏଠାକାର ଲୋକଙ୍କ ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି । ଏପରିକି ସେ ଲୋକସଭାରେ ମଧ୍ୟ ଗୁରୁଦାସପୁରର ବିକାଶ ପାଇଁ କେବେ କୌଣସି ପ୍ରସଙ୍ଗ ଉଠାଇ ନାହାନ୍ତି ବୋଲି ଅଭିଯୋଗ ହୋଇଛି । କୌଣସି ସମସ୍ୟା ନେଇ ଯୋଗାଯୋଗ କରାଗଲେ ସେ ଫୋନ୍ ମଧ୍ୟ ଉଠାନ୍ତି ନାହିଁ । ତେଣୁ ଜଣେ ସାଂସଦ ଭାବେ ସେ ନିଜ ଦାୟିତ୍ବ ତୁଲାଇ ନ ପାରିଲେ ନିଜ ପଦରୁ ଇସ୍ତଫା ଦେଇ ଅଭିନୟରେ ପୁରା ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ସନ୍ନିଙ୍କ ଫିଲ୍ମ ଯେଉଁଠି ପ୍ରଶଂସା ସାଉଁଟିଲେ ବି ଗୁରୁଦାସପୁରରେ ସିନେମାକୁ ବୟକଟ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଜଣେ ସାଂସଦ ହିସାବରେ ସାନିଙ୍କୁ ପ୍ରଥମେ ଲୋକଙ୍କ ଭଲମନ୍ଦ ବୁଝିବା କଥା l ହେଲେ ଏ ଦିଗରେ ତାଙ୍କର ତିଳେ ହେଁ ଧ୍ୟାନ ନାହିଁ l ସେହି କାରଣରୁ ଗୁରୁଦାସପୁର ବାସିନ୍ଦା ସାନିଙ୍କ ଗଦର ୨କୁ ବୟକଟ ଦାବି କରିଛନ୍ତି l