
ବିହାର : ବିହାର ଛପରା ଜିଲ୍ଲାର ମେୟର ରାକ୍ଷୀ ଗୁପ୍ତା ନିର୍ବାଚନ ଲଢିବା ଲୋଭରେ ତୃତୀୟ ପିଲାକୁ ଲୁଚାଇଥିଲେ । ହେଲେ ସତ ଜଣାପଡିବା ପରେ ତାଙ୍କର ମେୟର ପଦ ଚାଲିଯାଇଛି । ନିୟମ ଭାଙ୍ଗି ନାମାଙ୍କନ ସମୟରେ ସତ୍ୟପାଠରେ ୩ ଟି ପିଲା ଥିବା କଥା ଲୁଚାଇଥିବା କଥା ଏବେ ଯାଞ୍ଚରୁ ଜଣାପଡିଛି l ହଜାଦ୍ୱାରା ତାଙ୍କୁ ମେୟର ପଦ ହରାଇବାକୁ ପଡିଛି ।

ସୂଚନା ଅନୁସାରେ ନାମାଙ୍କନ ପତ୍ର ଦାଖଲ ସମୟରେ ରାକ୍ଷୀ ଯାହା ପ୍ରମାଣପତ୍ର ଦାଖଲ କରିଥିଲେ ତାକୁ ଚ୍ୟାଲେଞ୍ଜ କରି ପୂର୍ବ ମେୟର ସୁନୀତା ଦେବୀ ନିର୍ବାଚନ ଆୟୋଗରେ ମାମଲା ଦାଏର କରିଥିଲେ । ଏହାର ଯାଞ୍ଚ ପରେ ପ୍ରକୃତ ସତ ଏବେ ସାମ୍ନାକୁ ଆସିଛି । ଦାଖଲ କରିଥିବା ସତ୍ୟପାଠ ଭୁଲ ବୋଲି ପ୍ରମାଣିତ ହେବା ପରେ ମେୟର ପଦ ହରାଇଛନ୍ତି ରାକ୍ଷୀ ଗୁପ୍ତା । ସତ୍ୟପାଠରେ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି ଦର୍ଶାଇଥିଲେ ରାକ୍ଷୀ । କାରଣ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୨୦୦୮ ଏପ୍ରିଲ ୪ ତାରିଖ ପରେ ଯାହାର ୨ରୁ ଅଧିକ ସନ୍ତାନ ଥିବେ ସେ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ । ସେହି କାରଣରୁ ରାକ୍ଷୀ ତାଙ୍କର ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଜଣାପଡିଛି । କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ନିଜର ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କୁ ପୋଷ୍ୟ ସନ୍ତାନ ଭାବେ ଦାନ କରିଥିବା କହିଛନ୍ତି ରାକ୍ଷୀ । ହେଲେ ତଥାପି ନିର୍ବାଚନ ଆୟୋଗ ନିଜ ନିଷ୍ପତିରୁ ନ ହଟି ରାକ୍ଷୀଙ୍କୁ ମେୟର ପଦରୁ ବହିଷ୍କାର କରିଛନ୍ତି।
ଯଦି ରାକ୍ଷୀଙ୍କ ବ୍ୟକ୍ତିଗତ ଜୀବନକୁ ବିଚାର କରାଯାଏ ତେବେ ପ୍ରଥମେ ରାକ୍ଷୀଙ୍କର ରାଜନୀତି ସହ କୌଣସି ସମ୍ପର୍କ ନଥିଲା । ଏମବିଏ ପାଠ ପଢି ସେ ନିଜ ବାପାଙ୍କ ବ୍ୟବସାୟ ସମ୍ଭାଳୁଥିଲେ l ମଡେଲିଂ କ୍ଷେତ୍ରରେ ମଧ୍ୟ ତାଙ୍କ ବେଶ୍ ଅଭିଜ୍ଞତା ଥିଲା । ଆଇ ଗ୍ଲାମ୍ ଦ୍ୱାରା ଆୟୋଜିତ ମିସ୍ ବିହାର ପ୍ରତିଯୋଗିତାରେ ରାକ୍ଷୀ ପ୍ରଥମ ରନର୍ସଅପ୍ ହୋଇଥିଲେ । ଏହା ପରେ ବିବାହ ପରେ ମଧ୍ୟ ଶାଶୂଘରେ ଥିବା ସୁନା ବ୍ୟବସାୟ ଦେଖାରଖା କରୁଥିଲେ ରାକ୍ଷୀ l ହେଲେ କରୋନା ସମୟରେ ତାଙ୍କ ସ୍ୱାମୀ ସମାଜସେବା ଆରମ୍ଭ କରିଥିଲେ । ଏହାପରେ ରାଜନୀତି ପ୍ରତି ତାଙ୍କର ଅଳ୍ପବହୁତ ଆଗ୍ରହ ବଢିଥିଲା । ପରେ ପରେ ସ୍ୱାମୀଙ୍କ ଜରିଆରେ ପତ୍ନୀ ରାକ୍ଷୀ ଗୁପ୍ତାଙ୍କୁ ମେୟର ପଦରେ ନିର୍ବାଚନ ଲଢିବାକୁ ବିଜେପି ପକ୍ଷରୁ ଅଫର ଆସିଥିଲା l ସେ ମେୟର ପଦ ପାଇଁ ଲଢ଼ି ପ୍ରତିଦ୍ୱନ୍ଦ୍ୱି ଠାରୁ ବିପୁଳ ବ୍ୟବଧାନରେ ଜିତିଥିଲେ ମଧ୍ୟ। ହେଲେ ରାକ୍ଷୀ ଗୁପ୍ତାଙ୍କ ମେୟର ପଦ ଯିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିବାବେଳେ ବିରୋଧୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି l