ଭୁବନେଶ୍ୱର: ଦିନକୁ ଦିନ ଡେଙ୍ଗୁର ବିସ୍ତାର ଆତଙ୍କିତ କରିଚାଲିଛି ସମସ୍ତଙ୍କୁ । ଗତ ୨-୩ବର୍ଷ ଧରି ରାଜଧାନୀ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ପାଖାପାଖି ଦୁଇଶହ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ୧୦୫ ରୋଗୀ ରହିଛନ୍ତି । ସୋମବାର ଦିନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଥିଲେ । ସେହିପରି ଯାଜପୁରରୁ ୧୨ ଜଣ, ବାଲେଶ୍ବର ଓ ପୁରୀରୁ ୧୦, କଟକରୁ ୧୧ ଓ ଭଦ୍ରକରୁ ପ୍ରାୟ ୮ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ମୋଟ ୬୧୨୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୩୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ କେବଳ ୯୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ହିଁ ରହିଥିଲେ ।ତେବେ ଚଳିତବର୍ଷ ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ। ରାଜଧାନୀରେ ଡ଼େଙ୍ଗୁ ସ୍ଥିତି ଜଟିଳ ହେଉଥିବା ବେଳେ ବର୍ଷା ଆରମ୍ଭ ନ ହେଉଣୁ ଆଇଆରସି ଭିଲେଜ, ସାଲିଆ ସାହି ଓ ଓଲଡ଼ ଟାଉନ ପରି କେତେକ ଅଞ୍ଚଳ ଡେଙ୍ଗୁର ହଟସ୍ପଟ୍ ପାଲଟିଛି । ଭୁବନେଶ୍ୱର ସମେତ ରାଜ୍ୟର ଆହୁରି ୧୮ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଡେଙ୍ଗୁ ବ୍ୟାପିବା ନେଇ ତନାଘନା ଚାଲିଥିବା ବେଳେ ଅନେକ ମତ ଦେଇଛନ୍ତି ଯେ ଡେଙ୍ଗୁ ବ୍ୟାପିବା ପଛର କାରଣ ହୋଇପାରେ କୋଭିଡ୍ । କୋଭିଡ ସମୟରେ ଲକଡାଉନ ଓ ସଟଡାଉନ ପାଇଁ ପାର୍କଠାରୁ ଆରମ୍ଭ କରି ପୋଖରୀ, ଗଢ଼ିଆ, ଡଷ୍ଟବିନ୍, ପାଣି ଟାଙ୍କି ଓ ଅନ୍ୟାନ୍ୟ ସ୍ଥାନ ଠିକ୍ ସମୟରେ ସଫା ହୋଇପାରି ନ ଥିଲା । ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ । ସାଧାରଣତଃ ଏହି ମଶା ପାଣିରେ ବଂଶ ବିସ୍ତାର କରିଥାଏ । ଏଡିସ୍ ମଶାର ଅଣ୍ଡା ବର୍ଷେରୁ ଦୁଇ ବର୍ଷ ପାଇଁ ସତେଜ ରହିଥାଏ । କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ୍ ମଶାର ଅଣ୍ଡା ଲାଗି ରହିଥାଏ। ବର୍ଷା ଋତୁ ଆସିବା ପରେ ପାଣି ସଂସ୍ପର୍ଶରେ ଆସି ଅଣ୍ଡାରୁ ଛୁଆ ବାହାରେ । ଆଉ ତାହା ଲୋକଙ୍କୁ କାମୁଡିବା ଦ୍ଵାରା ଡେଙ୍ଗୁ ବ୍ୟାପିବାର ସମ୍ଭାବନା ବୃଦ୍ଧିପାଏ।
• ସାରା ରାଜ୍ୟରେ ଖେଳି ରହିଛି ଡେଙ୍ଗୁର ଆତଙ୍କ।
• ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଥିବାବେଳେ ପାଖାପାଖି ଦୁଇଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
• ରାଜଧାନୀ ଭୁବନେଶ୍ଵରରେ ସବାଧିକ ୧୦୫ ରୋଗୀ ଚିହ୍ନଟ।
• ସୂଚନା ମୁତାବକ ଡେଙ୍ଗୁର କାରଣ ହୋଇପାରେ କୋଭିଡ।
• କୋଭିଡ ସମୟରେ ଲକଡାଉନ ଓ ସଟଡାଉନ ଯୋଗୁଁ ଠିକ୍ ସମୟରେ ସଫା ହୋଇପାରିନଥିବା ସ୍ଥାନଗୁଡିକରେ ଏଡିସ୍ ମଶାର ଅଣ୍ଡା ରହି ସେଥିରୁ ଏବେ ମଶା ଜନ୍ମ ନେଇଥିବାର ଆଶଙ୍କା କରାଯାଉଛି।
• ସେହି ମଶା ମାନଙ୍କ ଦ୍ଵାରା ବର୍ତ୍ତମାନ ଡେଙ୍ଗୁ ରୋଗର ବିସ୍ତାର ହେଉଛି।