
ଭୁବନେଶ୍ୱର: ଦୀର୍ଘ ଦିନ ହେବ କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଯୋଜନା ଚାଲିଥିଲେ ମଧ୍ୟ ସେ ନେଇ ଏଯାଏଁ କୌଣସି ପ୍ରକାର କାମ ଆରମ୍ଭ ହୋଇପାରିନଥିଲା । ହେଲେ ବର୍ତ୍ତମାନ ଏହି କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ପ୍ରାରମ୍ଭିକ ପର୍ଯ୍ୟାୟର କର୍ଯ୍ୟ ଆରମ୍ଭ ହୋଇଯାଇଛି । ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମ୍ଆର୍ସି) ସଂସ୍ଥା ‘ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେସନ’ ଆରମ୍ଭ କରିଛି ।ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ-ବାରଙ୍ଗ ରାସ୍ତାରେ ବ୍ୟାରିକେଡ୍ କରାଯାଇ ଏହି ଯାଞ୍ଚ କରାଯାଉଥିବା ବେଳେ ଡିପିଆର ପ୍ରସ୍ତୁତ ପାଇଁ ଏହି ପ୍ରକ୍ରିୟା ଜାରି ରହିଛି । ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି । ଏହା ଛଡ଼ା ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି କେତେ ସକ୍ଷମ ତାହା ଅନୁଧ୍ୟାନ କରାଯିବ। ତ୍ରିଶୂଳିଆରୁ – ରାଜଭବନ ଛକ ଭିତରେ ୨୪ଟି ସ୍ଥାନରେ ଏମିତି ମାଟି ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବ । ସର୍ବନିମ୍ନ ସମୟସୀମା ମଧ୍ୟରେ ରୋଡ ମ୍ୟାପ୍ ପ୍ରସ୍ତୁତକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କେଉଁ ପଥରେ ମେଟ୍ରୋ ଚଳାଚଳ ହେବ ଓ ଏହାର ଭବିଷ୍ୟତ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟି ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ରେଳ ଚଳାଇବା ନେଇ ଘୋଷଣା ହୋଇଥିଲା। ଏହି ସବୁ ପ୍ରାରମ୍ଭିକ କାମ ସରିବା ପରେ ଏହି ସର୍ଭେ ରିପୋର୍ଟ ଆଧାରରେ ସଂସ୍ଥା ଡିପିଆର ପ୍ରସ୍ତୁତ କରିବ । ଡିପିଆରରେ ରୁଟ୍ ମଧ୍ୟ ସ୍ଥିର ହେବ । ଯେଉଁଠି ମାଟି ଦୁର୍ବଳ ରହିବ ବା ଭାର ସମ୍ଭାଳିବା ପାଇଁ ସକ୍ଷମ ହେବ ନାହିଁ ସେହି ରୁଟ୍ ପରିବର୍ତ୍ତନ କରାଯିବ ବୋଲି ଅନ୍ୟ ରୁଟ୍ କୁ ଧ୍ୟାନ ଦିଆଯିବ । କମ୍ ଅର୍ଥ ଖର୍ଚ୍ଚରେ ‘ଏଲିଭେଟେଡ୍ ମେଟ୍ରୋ ରେଳ ପ୍ରକଳ୍ପ’ ଯୋଜନା ହୋଇଛି । ଏଣୁ କେତେ ଅର୍ଥ ଖର୍ଚ୍ଚ ହେବ, କେତେ ଜମି ଦରକାର, କେତୋଟି ଷ୍ଟେସନ ହେବ, ଯାତ୍ରୀଙ୍କ ସୁବିଧା ପାଇଁ କ’ଣ କ’ଣ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ତାହା ଡିଏମ୍ଆର୍ସି ର ଡିପିଆର୍ ପ୍ରସ୍ତୁତ ପରେ ହିଁ ଜଣାପଡ଼ିବ ।