ଭୁବନେଶ୍ୱର: ପରିବା ଦାମ ଏତେ ଯେ ସେଥିରେ ହାତ ମାରି ହେଉନାହିଁ । ଦର ଶୁଣିଲେ ମୁଣ୍ଡରେ ହାତ ଦେଉଛନ୍ତି ଗ୍ରାହକମାନେ । ପକେଟରେ ହଜାର ଟଙ୍କା ନେଇଗଲେ ବି ବ୍ୟାଗ୍ ପୁରୁନାହିଁ । ଏଥିରୁ ଅନୁମାନ କରି ପାରୁଥିବେ ବଜାରରେ ପରିବା ଦର କେମିତି ରହିଛି ।କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋର ମୂଲ୍ୟ ହଠାତ୍ ୧୨୦ ଟଙ୍କା ଟପିଛି । ଦୁଇଦିନ ତଳେ ଯେଉଁ ପରିବା କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପରିବା ଦର ଦୁଇ ତିନି ଗୁଣା ଅଧିକ। ପ୍ରଥମେ ଟମାଟୋ ମୂଲ୍ୟରେ ବୃଦ୍ଧି ହେବା ପରେ ଏବେ ସବୁ ପରିବାର ଦର ବଢ଼ି ଚାଲିଛି । ପ୍ରାୟତଃ ସବୁଠି ସବୁ କଞ୍ଚା ପରିବାର ଦର ୧୦୦ ଉପରେ ରହିଛି । ବିନ୍ସ କିଲୋଗ୍ରାମ ପିଛା ୨୫୦ ଟଙ୍କା ରହିଥିବା ବେଳେ ଝୁଡ଼ଙ୍ଗ କିଲୋ ୧୦୦ରୁ ୧୨୦ ଟଙ୍କା ରହିଛି । ସେହିପରି କ୍ୟାପସିକମ୍ ୧୫୦ ଟଙ୍କା, ଫୁଲକୋବି ୮୦ ଟଙ୍କା, ବାଇଗଣ କିଲୋ ୯୦ରୁ ୧୧୦ ଟଙ୍କା, ପୋଟଳ କିଲୋ ୧୦୦ ଟଙ୍କା, ଟମାଟୋ କିଲୋ ୧୦୦ ଟଙ୍କା, ଭେଣ୍ଡି କିଲୋ ୯୦ ଟଙ୍କା ଏବଂ କଲରା କିଲୋ ୧୦୦ ଟଙ୍କା ରହିଛି। ଅଦା କିଲୋ ୩୦୦ ଟଙ୍କା, କଞ୍ଚାଲଙ୍କା ୪୦୦ ଟଙ୍କାରେ ବିକ୍ରି ହେଉଛି । ବର୍ଷ ତମାମ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରିଆସୁଥିଲେ କୋରାପୁଟ ଚାଷୀମାନେ । ହେଲେ ଗତମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କିଣି ସେହି ଅଦାକୁ ଉତ୍ତରପ୍ରଦେଶର ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା । ସେହି କାରଣ ଯୋଗୁଁ ଓଡ଼ିଶା ବଜାରରେ ସ୍ଥାନୀୟ ଅଦାର ଏବେ ଅଭାବ ଓ ସେଥି ପାଇଁ ଅଦା ଦର ମଧ୍ୟ ଏବେ ଲଗାମ ଛଡ଼ା ହୋଇଯାଇଛି । ଏପଟେ ଶ୍ରାବଣ ମାସ ମଧ୍ୟ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସରେ ଲୋକେ ସାଧାରଣତଃ ନିରାମିଷ ଖାଇଥାନ୍ତି। ହେଲେ ପନିପରିବାରେ ଏପରି ଦର ବୃଦ୍ଧି ଦେଖି ଗରିବାରୁ ମଧ୍ୟବିତ୍ତ ପରିବାର ଏବେ ଚିନ୍ତାଗ୍ରସ୍ତ।