
ବେଜିଂ: ଚୀନ୍ର ଦକ୍ଷିଣ ପଶ୍ଚିମଭାଗରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାର ବିଭୀଷିକାରେ ଅନେକ ଜଳବନ୍ଦୀ ହୋଇ ରହିଥିବା ବେଳେ ୧୫ଜଣ ରୁ ଅଧିକ ଜୀବନ ଯାଇସାରିଲାଣି । ସେହିପରି ଚୋଙ୍ଗକ୍ସିଙ୍ଗ୍ ଅଞ୍ଚଳରେ ୪ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ଏହି ଅଞ୍ଚଳର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲକ୍ଷାଧିକ ଲୋକଙ୍କୁ ପ୍ରଶାସନ ଦ୍ଵାରା ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। କେବଳ ସିଚୁଆନ୍ ପ୍ରଦେଶରେ ୮୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସେଠାକାର ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଗାଁ ଓ ସହରରେ ବନ୍ୟାଜଳ ପ୍ରବେଶ କରିଥିବାରୁ ସେଠାରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ଅନ୍ୟ ଉଦ୍ଧାରକାରୀ ଦଳ ଡଙ୍ଗାରେ ସଂପୃକ୍ତ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯୟୀ ପ୍ରାୟତଃ ଚୀନରେ ଏହି ସମୟରେ ପ୍ରତ୍ୟେକ ବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ୨୦୨୧ରେ ଚୀନ୍ର ହିନାନ୍ ପ୍ରଦେଶରେ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସେହିପରି ୧୯୯୮ରେ ଚୀନ୍ରେ ଭୟାବହ ବନ୍ୟା ଯୋଗୁଁ ୪ ହଜାରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ନିଖୋଜ ଥିବା ଲୋକଙ୍କ ପାଇଁ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ଖୋଜିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ପ୍ରଶାସନ ତରଫରୁ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ ସହାୟକ କରିବା ପାଇଁ ସମ୍ପୂର୍ଣାରୁପେ ଚେଷ୍ଟା ଜାରି ରଖାଯାଇଛି।