Site icon UTKAL PRATIDIN

ଚାଷୀର ମୁଣ୍ଡ ବିନ୍ଧାର କାରଣ ସାଜିଛି ଅନିୟମିତ ବର୍ଷା

photo1688715678

ଭୁବନେଶ୍ଵର: ମୌସୁମୀ ବିଳମ୍ବରେ ଆସିବା ଓ ଦୁର୍ବଳ ରହିବା କାରଣରୁ ରାଜ୍ୟରେ ବୃଷ୍ଟିପାତ ପରିମାଣ କମ୍ ରହିଛି ଯାହାଫଳରେ ଚାଷ କାର୍ଯ୍ୟ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ଗତ ଅକ୍ଷୟ ତୃତୀୟାଠାରୁ ଜୁନ୍ ଶେଷ ସୁଦ୍ଧା ବିହନ ବୁଣା କାର୍ଯ୍ୟ ପଛାଇଥିବାବେଳେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ସ୍ଵଳ୍ପ ବର୍ଷା କାରଣରୁ ଏଥର ଖରିଫ ଉତ୍ପାଦନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରିବ କି ନାହିଁ ସେ ନେଇ ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୭୧.୭ ମି.ମି. ବର୍ଷା ହୋଇଛି । ଯାହାକି ସ୍ଵାଭାବିକ ବର୍ଷାଠାରୁ ୩୧ ପ୍ରତିଶତ କମ୍ । ଏଥ‌ିପାଇଁ ରାଜ୍ୟରେ ବୁଣାବୁଣି ଏବଂ ଚାଷକାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଛି। ଜୁନ୍ ରୁ ଏପର୍ଯ୍ୟନ୍ତ ସ୍ଵାଭାବିକ ଭାବେ ୨୪୭.୪ ମି.ମି ବର୍ଷା ହେବା କଥା; କିନ୍ତୁ ରାଜ୍ୟର ଅଧିକାଂଶ ଜିଲାରେ ବୃଷ୍ଟିପାତ ହାର ୫୦ ପ୍ରତିଶତରୁ ମଧ୍ୟ କମ୍ ରହିଛି। ଏହି ସମୟ ମଧ୍ୟରେ କେବଳ ଦେବଗଡ଼ ଜିଲାରେ ସର୍ବାଧ‌ିକ ୩୩୧.୮ ମି.ମି ବର୍ଷା ହୋଇଥ‌ିବାବେଳେ ରାୟଗଡ଼ାର ସର୍ବନିମ୍ନ ୫୬.୭ ମି.ମି ବର୍ଷା ହୋଇଛି। କଳାହାଣ୍ଡି, କନ୍ଧମାଳରେ ୬୫ ରୁ ୭୦ ପ୍ରତିଶତ କମ୍ ବର୍ଷା ହୋଇଛି । କିଛି ବର୍ଷ ଧରି ଧାନ ଓ ଅନ୍ୟାନ୍ୟ ଫସଲ ଭଲ ଉତ୍ପାଦନରେ ରେକର୍ଡ଼ କରୁଥିବା ରୁ ଏସବୁ ଜିଲାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏସବୁ ଜିଲ୍ଲାରେ ଥିବା କେନାଲଗୁଡ଼ିକରେ ମଧ୍ୟ ପାଣି ନାହିଁ, ତେଣୁ ଚାଷୀ ପାଣି ଅଭାବରୁ ଅଡ଼ୁଆରେ ପଡ଼ିଛନ୍ତି। ସେମାନଙ୍କ ପାଇଁ କୌଣସି ବିକଳ୍ପ ଜଳଯୋଗାଣର ବ୍ୟବସ୍ଥା ମଧ୍ୟ ନାହିଁ । ଅନେକ ଚାଷଜମି ଜଳସେଚନରୁ ବଞ୍ଚିତ। ସେହିପରି ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ଦକ୍ଷିଣ ଓଡ଼ିଶାର ବଲାଙ୍ଗିର, ନୂଆପଡ଼ା, ସୋନପୁର ଓ ବୌଦ୍ଧ ଆଦି ଜିଲାରେ ବର୍ଷା ସ୍ଵାଭାବିକଠାରୁ ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ଥିବାରୁ ଚାଷ କାର୍ଯ୍ୟ ପଛାଇଯାଇଛି। ସେହିପରି ଉପକୂଳ ଜିଲା କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଯାଜପୁର, ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ଗଞ୍ଜାମ ଆଦି ଜିଲାରେ ବର୍ଷା ସ୍ଵାଭାବିକଠାରୁ ଢେର ପଛରେ ଥ‌ିବାରୁ ଏସବୁ ଜିଲାର ଖରିଫ ଚାଷ ପଛାଇଛି। ମୋଟାମୋଟି ଭାବେ ରାଜ୍ୟର ୨୦ ଜିଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଯୋଗୁଁ ବୁଣାବୁଣି ଏବଂ ତଳିଆ କାର୍ଯ୍ୟ ଅଧିକାଂଶ ଅଞ୍ଚଳରେ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ ଏବେ ଚାଷୀମାନେ ଏବେ ଖୁବ୍ ଚିନ୍ତିତ।

Exit mobile version