କଟକ : ଓଡିଶାର କଟକ ଷ୍ଟେସନ ନିକଟରେ ଚଳପ୍ରଚଳ ଟ୍ରେନ ସମ୍ମୁଖରେ ଦୁଇଜଣ ଯୁବକ ଫୋନ ରେ ରିଲ କରି ରେଳ ସୁରକ୍ଷା କର୍ମଚାରୀ (ଆରପିଏଫ) ଙ୍କ ଦ୍ୱାରା ଗିରଫ ହୋଇଛନ୍ତି l ଗିରଫ ହୋଇଥିବା ଏହି ଯୋଡିଙ୍କୁ ଭୁବନେଶ୍ୱର ର ରୁପାଲି ଛକ ଅଞ୍ଚଳର ଶେଖ ସାହିଲ (୨୨ ) ଏବଂ କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର ଶେଖ ସୋହେଲ (୧୯ ) ବୋଲି ଜଣାପଡିଛି। ଗିରଫ ଦୁଇ ଯୁବକ ଗତ କିଛି ମାସ ହେବ ସିଲଭର ସିଟିର ଓଡିଆ ବଜାର ଅଞ୍ଚଳରେ ଏକ ଭଡା ଘରେ ରହିଆସୁଥିଲେ। ସୂତ୍ରରୁ ପ୍ରକାଶ ଯେ ସେମାନେ ସ୍ଥାନୀୟ ଅଞ୍ଚଳରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲିଛନ୍ତି। ସୂଚନା ଅନୁଯାୟୀ କାଲି ଦିପହର ପ୍ରାୟ ୨.୪୫ ସମୟରେ କଟକ ରେଳ ଷ୍ଟେସନ ନିକଟରେ ଏକ ଚଳପ୍ରଚଳ ସାମଗ୍ରୀ ଟ୍ରେନ୍ ସମ୍ମୁଖରେ ଏହି ଦୁଇଜଣ ରିଲ୍ ତିଆରି କରିଥିଲେ। ପରେ ଏହି ଯୋଡିଙ୍କୁ ଆରପିଏଫ ଗିରଫ କରିଥିଲା ବୋଲି ସୂଚନା ମିଳିଛି l ଦୁଇ ଯୁବକ ରେଳ ଟ୍ରାକ ରେ ରିଲ୍ ତିଆରି କରୁଥିଲେ। ପାରାଦୀପ ପାର୍ଶ୍ୱରୁ ଆସୁଥିବା ଏକ ସାମଗ୍ରୀ ଟ୍ରେନ୍ ସେମାନଙ୍କଠାରୁ ମାତ୍ର ୭୦୦ ମିଟର ଦୂରରେ ଥିଲା ବୋଲି ଆରପିଏଫର ଜଣେ ଅଧିକାରୀ କହିଛନ୍ତି। ସେପଟେ ଆରପିଏଫ ଇନ୍ସପେକ୍ଟର ଇନ-ଚାର୍ଜ (ଆଇଆଇସି) ଅନିଲ ସିଂ ଲୋକଙ୍କୁ ରେଳ ଟ୍ରାକ୍ କିମ୍ବା ଚଳନ୍ତା ଟ୍ରେନ୍ ଆଗରେ ରିଲ୍ ନକରିବାକୁ ଅନୁରୋଧ କରିଛନ୍ତି।
ଚଳନ୍ତା ଟ୍ରେନ ନିକଟରେ ରିଲ ବନାଇ ଦୁଇ ଯୁବକ ଗିରଫ
