ଆଜି ଚନ୍ଦ୍ରୟାନ-୩ ପାଇଁ ଆଉ ଏକ ବଡ଼ ପରୀକ୍ଷାର ଦିନ। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚନ୍ଦ୍ରର କକ୍ଷପଥରେ ସ୍ପେଶ୍ କ୍ରାଫ୍ଟକୁ ପ୍ରବେଶ କରାଇବ ଇସ୍ରୋ। ପୃଥିବୀ ନିକଟରୁ ବିଦାୟ ନେଇଥିବା ଚନ୍ଦ୍ରୟାନ-୩ କ୍ରମେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଚନ୍ଦ୍ରୟାନ-୩ ଏବେ ସୁଦ୍ଧା ମୋଟ ଦୂରତାର ୩ ଭାଗରୁ ଦୁଇ ଭାଗ ଅତିକ୍ରମ କରି ସାରିଛି। ଆଉ ଏକ ଭାଗ ଦୂରତା ଅତିକ୍ରମ କରିବାର ଅପେକ୍ଷା l ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ସତୀଶ ଧବନ ସ୍ପେସ କେନ୍ଦ୍ରରୁ ଚନ୍ଦ୍ରୟାନ-୩ କୁ ସଫଳ ଉତକ୍ଷେପଣ କରାଯାଇଥିଲା। ତା ପରେ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ଗତ ୧ ତାରିଖରେ ସଫଳ ହୋଇଥିଲା। ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଏବେ ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଛି ଚନ୍ଦ୍ରୟାନ-୩ । ତେବେ ଆଜି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ଏକ ବଡ଼ ଚାଲେଞ୍ଜ ରହିବ । ଏହା ସଠିକ ଭାବରେ ହୋଇପାରିଲେ ଯାଇ ଚନ୍ଦ୍ରୟାନ-୩ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଟାଣି ହୋଇ, ଏହାର କକ୍ଷପଥରେ ପ୍ରବେଶ କରିବାରେ ସଫଳ ହେବ । ଅଗଷ୍ଟ ୨୩ ରେ ଏହା ପରିକ୍ରମା ଶେଷ କରି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଆଶା ରଖିଛି ଇସ୍ରୋ। କେବଳ ଇସ୍ରୋ ନୁହେଁ ସାରା ଭାରତବର୍ଷ ଏହାର ଅପେକ୍ଷାରେ l
