
ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା । ଗତକାଲି ଗଙ୍ଗା ଆଳତି କରାଯାଇଥିବା ବେଳେ ହାତରେ ତ୍ରିରଙ୍ଗା ଧରି ନଦୀ ଘାଟରେ ଏକାଠି ଆଳତି କରିବା ସହ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ କାମନା କରିଛନ୍ତି ଦେଶବାସୀ । ଦେଶର ଅନେକ ସ୍ଥାନରେ ବିଭିନ୍ନ ସଙ୍ଗଠନ ଏବଂ ସଂସ୍ଥା ପକ୍ଷରୁ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ଚାଲିଛି। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀମାନେ ଚନ୍ଦ୍ରୟାନ ସମ୍ପର୍କିତ ସମୁହ ଚିତ୍ରାଙ୍କନ କରୁ ଥିବାବେଳେ ଆଉ କେଉଁଠି ଶତାଧିକ ଛାତ୍ରଛାତ୍ରୀ ସମୁହ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି । ଚନ୍ଦ୍ରୟାନର ସଫଳତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ଶୁଭକାମନା ଜାରି ରହିଛି । ଚନ୍ଦ୍ରୟାନକୁ ନେଇ ସାରା ଏବେ ଦେଶରେ ଉତ୍ସାହ ଦେଖିବାକୁ ମିଳିଛି ।
ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଭାବେ ଏକ ପ୍ରତିକୃର୍ତ୍ତି ଅଙ୍କା ଯାଇଛି । ଯେଉଁଥିରେ ଚନ୍ଦ୍ରୟାନ-୩ ମିଶନର ବିଭିନ୍ନ ଘଟଣାବଳୀକୁ ସ୍ଥାନ ଦିଆଯାଇଛି । ଯେପରି ରକେଟ୍ ଉତ୍କ୍ଷେପଣ, ଚନ୍ଦ୍ରକୁ ଯାତ୍ରା, ମହାକାଶରେ ଚନ୍ଦ୍ରୟାନର ଅବସ୍ଥିତି ଇତ୍ୟାଦି। ବାଲିରେ ହୋଇଥିବା ଏହି କଳାକୃତିକୁ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।
ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି l ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନ-୩ର ସଫ୍ଟଲାଣ୍ଡିଂ ପ୍ରକ୍ରିୟାକୁ ସେ ଦକ୍ଷିଣ ଆଫ୍ରିକାରୁ ଭର୍ଚୁଆଲ୍ ମୋଡ୍ରେ ଦେଖିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଏହି ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିବା ପାଇଁ ଜୋହନସବର୍ଗରେ ଏକ ବିଶେଷ ଆୟୋଜନ କରାଯାଇଛି l ପ୍ରଧାନମନ୍ତ୍ରୀଙ୍କ ସହ ଥିବା ଅନ୍ୟ ଭାରତୀୟ ଅଧିକାରୀ ବି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୨୦୧୯ରେ ଚନ୍ଦ୍ରୟାନ-୨ ସମୟରେ ମଧ୍ୟ ଇସ୍ରୋ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ସହ ସାମିଲ ହୋଇଥିଲେ । କିନ୍ତୁ ଏଥର ପ୍ରଧାନମନ୍ତ୍ରୀ ଭାରତରେ ଉପସ୍ଥିତ ନଥିବାରୁ ଦକ୍ଷିଣ ଆଫ୍ରିକାରେ ଏପରି କିଛି ବ୍ୟବସ୍ଥା କରାଯାଇଛି l
ଏବେ ଆଉ ଅଳ୍ପ କିଛି ମୁହୂର୍ତ୍ତର ଅପେକ୍ଷାରେ ସାରା ଭାରତବାସି l ପୂଜାର୍ଚନା ସହିତ ସମସ୍ତେ ଚନ୍ଦ୍ରାୟାନ-୩ର ସଫଳ ଅବତରଣ ପାଇଁ କାମନା କରୁଛନ୍ତି l ଆଉ ଅଳ୍ପ କିଛି ଘଣ୍ଟା ପରେ ଭାରତର ଏହି ଐତିହାସିକ ମୁହୂର୍ତ୍ତର ସିଧାପ୍ରସାରଣ ଇସ୍ରୋ ପକ୍ଷରୁ ଆରମ୍ଭ ହେବ l ଏନେଇ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି l