
ବଜାରରେ ଦରଦାମ ବୃଦ୍ଧି ପାଇବା ଖାଉଟିଙ୍କ ପାଇଁ ବଡ ସମସ୍ୟା ପାଲଟିଛି । ତେବେ ଏସବୁ ଭିତରେ ଗ୍ୟାସ ସିଲିଣ୍ଡର ଦାମ କମିବା ଗ୍ରାହକଙ୍କ ପାଇଁ ଉପହାର ଭଳି ହୋଇଛି । ଉଜ୍ୱଳା ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଏଲପିଜି ସିଲିଣ୍ଡର ଉପରେ ସବସିଡି ଦେଉଛନ୍ତି । ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ଉପରେ ସବସିଡି ୮ ମାସ ପାଇଁ ବୃଦ୍ଧି କରାଯାଇଛି । ଭୁବନେଶ୍ୱରରେ ସାଧାରଣ ଗ୍ରାହକଙ୍କ ପାଇଁ ଏଲପିଜି ସିଲିଣ୍ଡର ୮୨୯ ଟଙ୍କାରେ ଉପଲବ୍ଧ । କିନ୍ତୁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୩୦୦ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି ।
ସେହି ଅନୁଯାୟୀ, ସେମାନେ ୫୨୯ ଟଙ୍କାରେ ଏଲପିଜି ସିଲିଣ୍ଡର ପାଉଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀମାନେ ଆସନ୍ତା ଆଠ ମାସ ଅର୍ଥାତ ମାର୍ଚ୍ଚ ୨୦୨୫ ଯାଏଁ ଏଲପିଜି ସିଲିଣ୍ଡରରେ ମାସିକ ୩୦୦ ଟଙ୍କା ସବସିଡି ପାଇବେ। ଏହାର ଅର୍ଥ ହେଉଛି ୮ ମାସ ପାଇଁ ମୋଟ ୨୪୦୦ ଟଙ୍କା ଆକାଉଣ୍ଟରେ ଜମା ହେବ । ହିତାଧିକାରୀଙ୍କୁ ବାର୍ଷିକ ୧୨ ଟି ରିଫିଲ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି । ନିକଟରେ କେନ୍ଦ୍ର ସରକାର ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି।
ଏହି କାରଣରୁ ଦେଶର ବିଭିନ୍ନ ସହରରେ ବର୍ତ୍ତମାନର ଗ୍ୟାସର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ରହିଛି। ବେଙ୍ଗାଲୁରୁ ୮୦୫.୫୦ ଟଙ୍କା, ଚଣ୍ଡିଗଡ଼ ୮୧୨.୫୦ ଟଙ୍କା, ଜୟପୁର ୮୦୬.୫୦ ଟଙ୍କା, ପାଟନା ୮୦୬.୫୦ ଟଙ୍କା । କୋଲକାତା ୮୨୯ ଟଙ୍କା, ଚେନ୍ନାଇ ୮୧୮.୫୦ ଟଙ୍କା, ନୋଏଡା ୮୦୦.୫୦ ଟଙ୍କା, ହାଇଦ୍ରାବାଦ ୮୫୫.୦୦ ଟଙ୍କା, ଲକ୍ଷ୍ନୌ ୮୪୦.୫୦ ଟଙ୍କା, ରହିଛି । ତେବେ ବ୍ୟବସାୟ ସୂତ୍ରରୁ ଜଣାପଡିଛି ଯେ ଅଗଷ୍ଟରେ ମଧ୍ୟ କେନ୍ଦ୍ର ସରକାର ଗ୍ୟାସ ମୂଲ୍ୟ ହ୍ରାସ କରିପାରନ୍ତି। ଏହାଦ୍ୱାରା ଏହି ସହରଗୁଡ଼ିକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇବ ଏବଂ ଲୋକମାନଙ୍କୁ ଆଶ୍ବସ୍ତି ମିଳିପାରେ ।