ଭୋପାଲ : ମଧ୍ୟପ୍ରଦେଶ ସ୍ଥିତ ଚମ୍ବଲ ଅଞ୍ଚଳର ଝିଅ ନନ୍ଦିନୀ ଅଗ୍ରୱାଲ ହୋଇଛନ୍ତି ବିଶ୍ୱର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଏହାସହ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାମକୁ ପକ୍କା କରିଛନ୍ତି । ଏହି ବିରାଟ ସଫଳତା ହାସଲ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମଧ୍ୟପ୍ରଦେଶର ଚମ୍ବଲ ଅଞ୍ଚଳ ଦିନେ ଚୋରି ଡକାୟତି ପାଇଁ ପ୍ରଖ୍ୟାତ ଅର୍ଜନ କରିଥିବା ବେଳେ ଏବେ ନନ୍ଦିନୀ ଅଞ୍ଚଳବାସୀଙ୍କ ପାଇଁ ସୁନାମ ଆଣିଦେଇଛନ୍ତି ।
ନନ୍ଦିନୀ ଅଗ୍ରୱାଲ ଚମ୍ବଲ ମୁରେନା ଜିଲ୍ଲାରେ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ । ଏହାପରେ ୨୦୨୧ ମସିହାରେ ସିଏ ପରୀକ୍ଷାରେ ସାରା ଭାରତରେ ସେ ରାଙ୍କ-୧ ରେ ରହିଥିଲେ । ନନ୍ଦିନୀ ଏବେ ମୁମ୍ବାଇର ସିଙ୍ଗାପୁର ସ୍ଥିତ ଏକ କମ୍ପାନୀରେ ଚାକିରି କରୁଛନ୍ତି । ବର୍ତ୍ତମାନ ବାର୍ଷିକ ୩୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନନ୍ଦିନୀ । ନନ୍ଦିନୀଙ୍କ ପିତା ପେଶାରେ ଜଣେ ଓକିଲ ଥିବା ବେଳେ ମାଆ ଜଣେ ସାଧାରଣ ଗୃହିଣୀ । ନନ୍ଦିନୀଙ୍କ ଆଉ ଜଣେ ଭାଇ ମଧ୍ୟ ଅଛନ୍ତି । ଭାଇ ସଚିନ ଅଗ୍ରୱାଲ ମଧ୍ୟ ଜଣେ ମେଧାବୀ ଛାତ୍ର ।
୨୦୨୧ ମସିହାରେ CA ଫାଇନାଲ ପରୀକ୍ଷାରେ ଉଭୟ ଭାଇ-ଭଉଣୀ ସଫଳତା ହାସଲ କରିଥିଲେ । ଭଉଣୀ ସାରା ଦେଶରେ CA ପରୀକ୍ଷାରେ ୧ ନମ୍ବର ରାଙ୍କରେ ଥିବା ବେଳେ ଭାଇ ସଚିନ ୧୮ତମ ରାଙ୍କ ହାସଲ କରିଥିଲେ । CA ପରୀକ୍ଷାରେ ନନ୍ଦିନୀଙ୍କୁ ୮୦୦ରୁ ୬୧୪ ମାର୍କ ମିଳିଥିଲା । ପ୍ରଥମ ପ୍ରୟାସରେ ହିଁ ନନ୍ଦିନୀ ଏହି ସଫଳତା ହାସଲ କରିଥିଲେ । ନନ୍ଦିନୀଙ୍କ କହିବାନୁସାରେ ସିଏ ପରୀକ୍ଷାରେ ପ୍ରସ୍ତୁତି ପାଇଁ ତାଙ୍କ ପରିବାର ତରଫରୁ ତାଙ୍କୁ ଖୁବ ସହଯୋଗ ମିଳିଥିଲା । ତେବେ ଏବେ ସେ ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱ ରେକର୍ଡ଼ ସୃଷ୍ଟି କରି ପରିବାର ସହ ଦେଶ ପାଇଁ ମଧ୍ୟ ସୁନାମ ଆଣିଦେଇଛନ୍ତି l