
ଭୁବନେଶ୍ୱର: ଅଡୁଆରେ ପକାଇଲା ଆଳୁ। ତାତିଲା ରାଜନୀତି। ଆଳୁ ଗାଡି ଛାଡ଼ୁନି ପଶ୍ଚିମ ବଙ୍ଗ । ସୀମାରେ ଅଟକିଛି ଶହଶହ ଆଳୁ ଭର୍ତ୍ତି ଟ୍ରକ । ଏପଟେ ଓଡ଼ିଶାରେ ହୁହୁ ବଢୁଛି ଦର । ପରିବା ଦର ଆକାଶଛୁଆଁ ଥିବାବେଳେ ଆଳୁ ଥିଲା ଭରସା ।ଏବେ ଭାତ ଥାଳିରୁ ସେ ବି ହଟିଯିବ।
୫ ଦିନ ହେଲାଣି କଟକ ଛତ୍ର ବଜାରକୁ ଆସିନି ଆଳୁ ଟ୍ରକ । ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଶତାଧିକ ଆଳୁ ଟ୍ରକ ଅଟକି ରହିଛି ।ପଶ୍ଚିମ ବଙ୍ଗ ପୋଲିସ ଛାଡ଼ୁନି । ଫଳରେ ଆଳୁ ଦର ଏବେ ହାପ ସେନ୍ଚୁରୀ ଟପିଲାଣି | ଛତ୍ର ବଜାରକୁ ଦୈନିକ ୮ରୁ ୯ ଟ୍ରକ ଆଳୁ ଆସିଥାଏ । ହେଲେ ଶୁକ୍ରବାର ମାତ୍ର ଗୋଟିଏ ଟ୍ରକ ଆସିଥିଲା । ତେଣୁ ଭିଡ ଲାଗିଥିଲା | ଛତ୍ର ବଜାରରେ ଆଜି ଆଳୁ ଦର ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ୬୦ ଟଙ୍କା ଥିଲା |
ଏପଟେ ସ୍ଥିତି ସମ୍ଭାଳିବା ପାଇଁ ଉତ୍ତର ପ୍ରଦେଶରୁ ଆଳୁ ମଗାଇବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ ଆଜି ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ । ଗୋଦାମରେ ଯେତିକି ଆଳୁ ଅଛି ତାହା ୭ ଦିନ ଯାଏ ରାଜ୍ୟର ଚାହିଦା ମେଣ୍ଟାଇବ । ତା ଭିତରେ ଉତ୍ତରପ୍ରଦେଶରୁ ଆଳୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ।
ଏଥର ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କାମ ହୋଇଥିବାରୁ ସେଠିକା ପୋଲିସ ଆଳୁ ଗାଡି ଛାଡୁ ନାଁ ଥିବା କୁହ ଯାଉଛି ।ଏପଟେ ଓଡ଼ିଶାରେ ଏପରି ସ୍ଥିତି ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛି ବିଜେପି ସରକାର । ରାଜ୍ୟରେ ଆଳୁ, ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଗୁରୁତ୍ୱ ଦେଉ ନାହାନ୍ତି।ଯେତିକି ଉତ୍ପାଦନ ହେଉଛି ଶୀତଳଭଣ୍ଡାର ନାଁ ଥିବାରୁ ତାହାକୁ ମଧ୍ୟ ସଂରକ୍ଷଣ କରାଯାଇ ପାରୁନାହିଁ ।
ଅନ୍ୟପକ୍ଷେ, ଆଜି ଆଇଗିଣିଆ ଆଳୁ ଗୋଦାମ ଦେଖିବା ପରେ ସେଠାରେ ଆଳୁ ଦର ୨୭ ଟଙ୍କା ଥିଲା । ସେହି ହିସାବରେ ଦେଖିଲେ ଖୁଚୁରାରେ ୩୨ ଟଙ୍କା ହେବ କଥା ।ତେଣୁ ଏହାଠାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।ତେବେ ଆଳୁ ଦର କେବେ ଆଶ୍ବସ୍ତି ଦେଉଛି ଦେଖିବାକୁ ରହିଲା।