କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡାଠାରେ ଏମିତି ଏକ ଗାଁ ଟିଏ ଅଛି, ଯେଉଁ ଗାଁକୁ କେବେ ହେଲେ ଚୋର ଚୋରି କରିବାକୁ ଆସିନାହିଁ କି କେବେ ପୁଲିସ କୌଣସି ମୋକଦ୍ଦମା ପାଇଁ ଯାଇ ନାହିଁ। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ,ଏହି ଗାଁର କୌଣସି ଘରେ କବାଟ ନାହିଁ କି କେବେ ତଳ ପଡେ ନାହିଁ । ଲୋକଙ୍କର ବିଶ୍ୱାସ ଯେ, ମା’ ଖରାଖାଇ କବାଟ ଭଳି ଜଗି ରହିଛନ୍ତି ସମସ୍ତଙ୍କ ଦୁଆରକୁ । ମା ଙ୍କ ଭରସାରେ ସମ୍ପୂର୍ଣ ଖୋଲାମେଲା ଘରଦ୍ୱାର । କେନ୍ଦ୍ରାପଡ଼ା ଜିଲାର ଉତ୍ତର ଦିଗକୁ ଗଲେ ପଡ଼େ ଓଡ଼ିଶାର ଐତିହ୍ୟପୂର୍ଣ୍ଣ ବ୍ଲକ୍ ରାଜକନିକା । ରାଜକନିକାର ସଦର ମହକୁମାର କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗକୁ ୩ କିଲୋମିଟର ଗଲେ ପଡ଼େ ଏଇ କବାଟ ନ ଥିବା ଗାଁ ଯାହାର ନାଁ ସିଆଳିଆ । ୩୨ ପରିବାରଙ୍କ ଛୋଟବଡ଼ ଚାଳଛପର ଘରଗୁଡ଼ିକ ଲମ୍ବି ରହିଛି । ଗାଁର ଉତ୍ତର ଦିଗକୁ ଶେଷମୁଣ୍ଡରେ ପ୍ରସିଦ୍ଧ ଗ୍ରାମଦେବତୀ ମା’ ଖରାଖାଇଙ୍କ ପୀଠସ୍ଥଳି । ଖରାଖାଇଙ୍କ ଆସ୍ଥାନ ଚତୁର୍ଦ୍ଦିଗରେ ଭରି ରହିଛି ଅନେକ ପ୍ରକାରର ବୃକ୍ଷଲତା। କି ଖରା କି ବର୍ଷା ସବୁ ସମୟରେ ମା’ ଖରାଖାଇ ସେମିତି ଛାତ ବିହୀନ ମୁକ୍ତ ଆକାଶ ତଳେ ପୂଜା ପାଉଛନ୍ତି। ସେଥିପାଇଁ ମା’ଙ୍କ ନାମ ଖରାଖାଇ ଠାକୁରାଣୀ ବୋଲି ଲୋକେ କହିଆସୁଛନ୍ତି । ଗ୍ରାମବାସୀଙ୍କ କାହାରି ଘରେ କବାଟ ନାହିଁ କି ଦୁଆର ବନ୍ଦ ନାହିଁ । ଧନୀ, ଗରିବ ସମସ୍ତେ ଏହି ଆଦର୍ଶ ଓ ପରମ୍ପରାର ଅନୁଗାମୀ । ଏହି ଗାଁରେ କୌଣସି ଦିନ ବାଦବିବାଦ କିମ୍ବା ସାମୟିକ ଭାବେ କଳହ ଦେଖାଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ। କବାଟ ନ ଥିଲେ ମଧ୍ୟ ଗାଁରେ କେବେ କାହା ଘରୁ ଚୋରି ହୁଏ ନାହିଁ। ପୁଲିସ କେବେ ସେହି ଗ୍ରାମକୁ ଯାଇନାହିଁ। ଏ ପର୍ଯ୍ୟନ୍ତ କୋର୍ଟ କଚେରିରେ କୌଣସି ମୋକଦ୍ଦମା ହୋଇନାହିଁ। କୁକୁର ବିଲେଇଙ୍କ ପାଇଁ ସମସ୍ତ ଦୁଆର ମୁହଁରେ ଖଣ୍ଡେ ଖଣ୍ଡେ ବାଉଁଶର ତାଟିକୁ ଆଉଜେଇ ଦିଅନ୍ତି। ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକରେ ପ୍ରବଳ ଭିଡ଼ ହୁଏ । ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଉଛନ୍ତି ବୋଲି କହିଛନ୍ତି । ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହେଉଥିବାର ଲୋକମାନେ କହୁଛନ୍ତି। ଫଳରେ ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡ଼ାକୁ ଦେଇ ଭୋଗ କରନ୍ତି। ବର୍ତ୍ତମାନ ଏହି ପୀଠର ଚାରିକଡ଼଼ରେ ରହିଛି ଲକ୍ଷାଧିକ ମାଟି ଘୋଡ଼ା। ଯାହାକି ଭକ୍ତଙ୍କର ମନସ୍କାମନା ପୂରଣ ହେଉଥିବାର ସୂଚନା ଦେଉଛି । କାର୍ତ୍ତିକ ପୂର୍ଣ୍ଣିମା ଓ ପଣାସଂକ୍ରାନ୍ତି ସହିତ ମା’ ଙ୍କ ପର୍ବପର୍ବାଣିରେ ଯଜ୍ଞ ସହିତ ସ୍ୱତନ୍ତ୍ର ପୂଜାଉତ୍ସବ ଅନୁଷ୍ଠିତ ହୁଏ। ଏହି ଉତ୍ସବ ଦେଖିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ସିଆଳିଆ ଗ୍ରାମକୁ ଆସନ୍ତି।
କୌଣସି ଘରେ ନାହିଁ କବାଟ

