ବହୁ ଚର୍ଚ୍ଚିତ ନଵଦାସ ହତ୍ୟା ଘଟଣା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ବୁଧବାର ଦିନ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି । ଗୋପାଳ ଦାସ ଙ୍କ ନିଯୁକ୍ତି ଥିବା ଓକିଲ ନରେଶ ନାଏକ କୋର୍ଟରେ ଡିସଚାର୍ଜ ପିଟିସନ ଦାଖଲ କରିଛନ୍ତି । କୋର୍ଟରେ ହାଜର ହେବା ସମୟରେ ଗୋପାଳ ୨ ଜଣ ଆଇନଜୀବୀ ସୁନୀଲ କୁମାର ସ୍ୱାଇଁ ଓ ମହେଶ ଜେନାଙ୍କୁ ତାଙ୍କ ମାମଲା ପରିଚାଳନା କରିବ ପାଇଁ ପିଟିସନ ଦେଇଛନ୍ତି। ସୂଚନାଅନୁଯାୟୀ ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଭିଯୁକ୍ତଙ୍କ ଓକିଲ ସୁନୀଲ କୁମାର ସ୍ୱାଇଁ କହିଛନ୍ତି । ଆଜି ଚାର୍ଜଫ୍ରେମ ହେବାର ଥିଲା କିନ୍ତୁ କୌଣସି କାରଣ ବଶତଃ ଚାର୍ଜଫ୍ରେମ ହୋଇନାହିଁ। ଗୁରୁବାର ଦିନ ଅଦାଲତରେ ଗୋପାଳ ବିରୋଧ ରେ ଚାର୍ଜ ଫ୍ରେମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେବା ସମୟରେ ନବଦାସ ଙ୍କୁ ସର୍ବସମୁଖ ରେ ଗୁଳି ମାରି ହତ୍ୟା କରିଥିଲେ ଏଏସଆଇ ଗୋପାଳ ଦାସ। ନବଦାସ ଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳ କୁ କାବୁ କରିଥିଲେ । ପରେ ଏହି ମାମଲାର ତଦନ୍ତ କରିବାର ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଚାର୍ଜସିଟ ଜେଏମଏଫସି କୋର୍ଟରେ ମେ ୨୬ ତାରିଖରେ ଦାଖଲ କରିଥିଲେ ।
