Site icon UTKAL PRATIDIN

କୋଚିଂ ହବ୍ ନାଁ ଆତ୍ମହତ୍ୟା ହବ୍

photo_6231289203765918026_m

ରାଜସ୍ଥାନର କୋଟା ସହର ଦେଶର କୋଚିଂ ହବ୍ ଭାବରେ ପରିଚିତ । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର କୋଚିଂ ପାଇଁ ଜଣାଶୁଣା କୋଟା ସହର ଏବେ ଆତ୍ମହତ୍ୟାର ହବ୍ ପାଲଟିଛି । ଚଳିତ ବର୍ଷ, ଏଯାଏଁ ୧୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ସାରିଲେଣି । କେବଳ ମେ’ ମାସରେ କୋଟାରେ ୫ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଯଦି ଏହା ପୂର୍ବରୁ ଏହି ସଂଖ୍ୟା ଉପରେ ନଜର ପକାଇବା ତେବେ ଏହି ସଂଖ୍ୟା ୨୦୧୭ ରେ ୭ ଥିବାବେଳେ ୨୦୧୬ ରେ ୧୭ ଓ ୨୦୧୫ ରେ ୧୮ ଥିଲା । ତେବେ ୨୦୧୮ ରେ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ସର୍ବାଧିକ ୨୦ ଥିଲା, ଯେତେବେଳେ ୨୦୧୯ ରେ ଏହି ସଂଖ୍ୟା ସାମାନ୍ୟ କମ ହୋଇ ୧୮ ରେ ପହଞ୍ଚିଥିଲା । ମାତ୍ର ୨୦୨୦ ଓ ୨୦୨୧ ମସିହାରେ କୌଣସି ବି ଆତ୍ମହତ୍ୟା ଖବର ସାମ୍ନାକୁ ଆସିନଥିଲା । କାରଣ କୋଭିଡ଼ ଯୋଗୁଁ ସମସ୍ତ କୋଚିଂ ସେଣ୍ଟର ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ନିଜ ଘରେ ରହି ପ୍ରସ୍ତୁତି ଚଳାଇ ଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ, ଯେଉଁ ବୟସରେ ପିଲା ମାନେ ହସି ଖେଳି ଜୀବନକୁ ଉପଭୋଗ କରିବା କଥା ସେହି ସମୟରେ ଛାତ୍ରଛାତ୍ରୀ ମାନେ ଆତ୍ମହତ୍ୟା ପରି ଚରମ ନିଷ୍ପତି କାରଣ କଣ ହୋଇପାରେ l ବିଶେଷଜ୍ଞମାନଙ୍କ ମତରେ ଦିନକୁ ଦିନ ବଢୁଥିବା ପ୍ରତିଯୋଗିତା, ଏକଲାପଣ ଓ ଅବସାଦ ଏପରି ଆତ୍ମହତ୍ୟା ପଛର କାରଣ ହୋଇପାରେ । ଏପରି ସମୟରେ ପିଲାଙ୍କ ପାଇଁ ପରିବାରର ଓ ନିଜ ଲୋକଙ୍କର ଆବଶ୍ୟକତା ରହିଛି । କିନ୍ତୁ ସେମାନେ ସେଠି ଏକ ହୋଇଯାନ୍ତି l ମନୋବିଶେଷଜ୍ଞଙ୍କ ମତ ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ପିତାମାତା ନିଜ ପିଲାମାନଙ୍କ ଲାଗି ଆବଶ୍ୟକ ସମୟ ଦେଇପାରୁ ନାହାନ୍ତି । ତେଣୁ ଏହିପରି ଅଘଟଣ ତଥା ଆତ୍ମହତ୍ୟାକୁ ରୋକିବାକୁ ହେଲେ ପ୍ରଥମେ ପରିବାର ସ୍ତରରୁ ପ୍ରୟାସ ହେବା ଉଚିତ । ପିତାମାତା ପିଲାଙ୍କ ସହ ସାଙ୍ଗ ଭଳି ବ୍ୟବହାର କରିବା ଉଚିତ । ଏହା ସହିତ ସେମାନଙ୍କ ଅସଫଳତାକୁ ନେଇ ସେମାନଙ୍କ ଉପରେ ବିରକ୍ତ ହେବା ଅନୁଚିତ । ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି ପ୍ରାୟ ପିଲା ନିଜ ପିତାମାତାଙ୍କ ଇଚ୍ଛା ଓ ଖୁସି ଲାଗି ଏପରି କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି ଯେଉଁଥିରେ ସେମାନଙ୍କର ଆଗ୍ରହ ବି ନଥାଏ । ଏହି କାରଣରୁ ସେମାନେ ପୁରା ହୃଦୟର ସହିତ ଏହି କାର୍ଯ୍ୟକୁ କରିପାରନ୍ତି ନାହିଁ । ତେଣୁ ଯେତେବେଳେ ସେମାନେ ଅସଫଳ ହୋଇଥାନ୍ତି ନିଜକୁ ଦୋଷୀ ମାନି ଏପରି କିଛି ଚରମ ନିଷ୍ପତ୍ତି ନେଇଥାନ୍ତି । ବର୍ତ୍ତମାନ ସହରର ବିଭିନ୍ନ କୋଚିଂ ଅନୁଷ୍ଠାନରେ 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଛନ୍ତି । ସେପଟେ ବଢୁଥିବା ଛାତ୍ର ଆତ୍ମହତ୍ୟା ଘଟଣାକୁ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ହଷ୍ଟେଲ ପରିସରରେ ଥିବା ସମସ୍ତ ଫ୍ୟାନରେ ଆତ୍ମହତ୍ୟା ବିରୋଧୀ ଉପକରଣ ଭାବେ ପରିଚିତ ସ୍ପ୍ରିଂ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି । ଏହାଦ୍ୱାରା ଫ୍ୟାନରେ କୌଣସି ଓଜନ ବାନ୍ଧିବା ମାତ୍ରେ ତାହା ତଳକୁ ଖସିଯିବ ଏପରି ମଧ୍ୟ ବ୍ୟବସ୍ଥା କରାଯାଇଛିl

Exit mobile version