
ଭୁବନେଶ୍ୱର : ଭଲରେ ହେଉ ଅବା ମନ୍ଦରେ ପୁଣି ଚର୍ଚ୍ଚାରେ ଆସିଛି ଓଲିଉଡ୍ । ଭାଇରାଲ ହୋଇଛି ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ । ଏହା ପରେ ଓଲିଉଡ୍ ରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଏହି ଘଟଣାରେ ଅଭିନେତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ନାଁ ରେ ଏତଲା ଦେଇଛନ୍ତି । ପୁରୁଷ ବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରିଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଖାଲି ସେତିକି ନୁହେଁ, ସୁଟିଂ ସେଟରେ ହଙ୍ଗାମା କରୁଛନ୍ତି ଓ ନାନା ଧମକଚମକ ମଧ୍ୟ ଦେଉଛନ୍ତି । ତାଙ୍କ କହିବା ଅନୁଯାୟୀ ଦୁହିଁଙ୍କ ମଧ୍ୟରେ ୨୦୧୯ ରୁ ପ୍ରେମ ସମ୍ପର୍କ ରହିଥିଲା । ପୁରୁଷ ବନ୍ଧୁ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ପ୍ରଯୋଜକ । କିଛି ବର୍ଷ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ସେ ଜାତୀୟସ୍ତରର ପୁରସ୍କାର ମଧ୍ୟ ପାଇଥିଲେ । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଏହା ପୂର୍ବରୁ ମଧ୍ୟ ୨୦୨୧ ରେ ଏହି ଅଭିନେତ୍ରୀ ଜଣକ ଥାନାରେ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ଏବେ ପୁଣିଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ । ଲକ୍ଷ୍ମୀସାଗର ଥାନା ପୋଲିସ ଏହାକୁ ନେଇ ଏବେ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା 268, 294, 349, 350, 354, 354 ଏ, 354 ସି, 383, 420, 468, 499, 503, 506 ରେ ମାମଲା ରୁଜୁ କରାଯାଇଛି । ଆଇଟି ଆକ୍ଟ 2000 ର 66 -ଏ, 66 -ଇ, 67, 67 -ଏ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଛି । ଖୁବ ଶୀଘ୍ର ଏହାକୁ ନେଇ ତଦନ୍ତ ହେବ ସହ ପୁରୁଷ ବନ୍ଧୁଙ୍କୁ ଦଣ୍ଡ ଦିଆଯାଉ ବୋଲି ଅଭିନେତ୍ରୀ ଜଣକ ଦାବି କରିଛନ୍ତି l