
ସାଧାରଣତଃ ସମସ୍ତେ ଜାଣିବାକୁ ଉତ୍ସୁକ ଥାନ୍ତି କି କୋର୍ଟରେ କିଭଳି ମାମଲା ଆସେ, କିଭଳି ଶୁଣାଣି ହୁଏ, କୋର୍ଟ ପରିସରର ଦୃଶ୍ୟ କେମିତି ଥାଏ, ଏହା ସହ ଆହୁରି ଅନେକ କିଛି l ହେଲେ ଏ ସବୁ ଦେଖିବା ପାଇଁ କୌଣସି ସାଧାରଣ ଜନତାଙ୍କୁ ଅନୁମତି ମିଳେନାହିଁ l ଏସବୁ କେବଳ ଜଣେ କୌଣସି ଚଳଚ୍ଚିତ୍ର କିମ୍ବା ସିରିଏଲରେ ଦେଖିଥିବ। କିନ୍ତୁ ବର୍ତ୍ତମାନ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟ ତଥା ହାଇକୋର୍ଟ ପରିସରରେ କଣ ଅଛି, କଣ ଚାଲିଛି ତାହା ବୁଲି ଦେଖିପାରିବେ ସାଧାରଣ ଲୋକେ । କୋର୍ଟ ପରିସରରେ କିପରି କାମ ହୁଏ, ଏଠି କେଉଁ ସବୁ ସୁବିଧା ରହିଛି, ସେ ସବୁ ଜଣେ ଏବେ ନିଜେ ବୁଲି ଦେଖିପାରିବ । ସାଧାରଣ ଲୋକଙ୍କୁ କୋର୍ଟ ପରିସରର ଅନୁଭୂତି ଦେବା ନେଇ ଅଗଷ୍ଟ ୫ ତାରିଖରୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେଉଛି ଗାଇଡେଡ୍ ଟୁର୍ । କୋର୍ଟ କମ୍ପ୍ଲେକ୍ସରେ ଥିବା ବିଭିନ୍ନ ବିଭାଗ ବିଷୟରେ ଜାଣିବାକୁ ଆଗ୍ରହୀ କିମ୍ବା ହାଇକୋର୍ଟ ଦେଖିବାକୁ ଇଚ୍ଛୁକ ବ୍ୟକ୍ତି ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ ଶନିବାର ଦିନ ଏହି ଗାଇଡେଡ୍ ଟୁରର ଲାଭ ନେଇ ପାରିବେ । ଗୋଟିଏ ଦିନରେ ୨ ଟି ପର୍ଯ୍ୟାୟରେ ହାଇକୋର୍ଟ ବୁଲି ଦେଖି ହେବ । ପ୍ରତି ଭ୍ରମଣକାରୀ ଦଳରେ ସର୍ବାଧିକ ୪୦ ଜଣ ରହି ପାରିବେ । ପ୍ରଥମ ପର୍ଯ୍ୟାୟରେ ଦିନ ୧୦ ଟାରୁ ୧୧ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦିନ ୧୧.୩୦ ରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଯାଇ ହାଇକୋର୍ଟ ପରିସର ବୁଲି ଦେଖି ପାରିବେ । ଏହି ସମୟରେ କୋର୍ଟ ରୁମ୍ସ, ଐତିହ୍ୟ କୋଠା, ନୂଆ କୋଠା ସହ ହାଇକୋର୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଖି ପାରିବେ ଲୋକମାନେ । ହାଇକୋର୍ଟର ଅଧିକାରୀ ଭ୍ରମଣକାରୀଙ୍କୁ ଗାଇଡ୍ କରିବା ସହ କାର୍ଯ୍ୟଶୈଳୀ ବାବଦରେ ଅବଗତ କରାଇବେ । ଏଥିପାଇଁ ଗୁରୁବାର ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଆଗ୍ରହୀମାନେ ହାଇକୋର୍ଟର କପିଂ ସେକ୍ସନ ନିକଟରେ ଥିବା ଭିଜିଟର୍ ପାସ କାଉଣ୍ଟରରରୁ କାର୍ଯ୍ୟ ଦିବସରେ ଦିନ ୨ଟା ରୁ ୫ ଟା ମଧ୍ୟରେ ପଞ୍ଜିକରଣ କରି ପାସ୍ ସଂଗ୍ରହ କରି ପାରିବେ । ପାସ୍ ପାଇବା ଲାଗି ପଞ୍ଜିକରଣ ସମୟରେ ପରିଚୟ ପତ୍ର ଦେବାକୁ ପଡ଼ିବ । କିନ୍ତୁ ହାଇକୋର୍ଟର ଏହି ଗାଇଡେଡ୍ ଟୁର୍ ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ତେବେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଗାଇଡେଡ୍ ଟୁର୍ ଲାଗି ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ସୂଚନା ମିଳିଛି ।