ଏଥର ନିରାଶ ବାରବାଟୀ* ଭୁବନେଶ୍ୱର: ଘୋଷଣା ହୋଇସାରିଛି ଚଳିତ ୨୦୨୩-୨୪ ଘରୋଇ ସିଜିନ୍ ପାଇଁ ଭାରତୀୟ ଦଳର ଖେଳସୂଚୀ । ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ଦଳ ଭାରତ ଆସିବେ । ମୋହାଲୀ, ଇନ୍ଦୋର, ହାଇଦ୍ରାବାଦ, ଭାଇଜାଗ, ରାଜକୋଟ, ରାଞ୍ଚି ଓ ଧର୍ମଶାଳା ଭଳି ସ୍ଥାନରେ ଏହି ମ୍ୟାଚ୍ ଗୁଡିକ ଖେଳାଯିବା ପାଇଁ ନିଷ୍ପତି ନିଆଯାଇଛି । ମାତ୍ର ଗତକାଲି ତାଲିକା ପ୍ରସ୍ତୁତ ପରେ ଓଡିଶା ପାଇଁ ଏକ ଦୁଃଖଦ ବିଷୟ ଯେ ଘରୋଇ ସିଜିନର ଗୋଟିଏ ହେଲେ ଅନ୍ତର୍ଜାତୀୟ ମ୍ୟାଚ୍ କଟକର ବାରବାଟୀକୁ ମିଳିଲା ନାହିଁ । ଭାରତରେ ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଖେଳା ଯାଉଥିବା ବେଳେ ବାରବାଟୀ ମ୍ୟାଚ୍ ଆୟୋଜନରୁ ସମ୍ପୂର୍ଣରୂପେ ବଞ୍ଚିତ ରହିଛି । କୁହାଯାଉଥିଲା ଯେ ଭାରତ ଆଗାମୀ ଦିନରେ ଖେଳିବାକୁ ଥିବା ଦ୍ୱିପାକ୍ଷିକ ସିରିଜର କିଛି ମ୍ୟାଚ୍ ବାରବାଟୀ ଆୟୋଜନ କରିବାକୁ ସୁଯୋଗ ପାଇବ । କିନ୍ତୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ କିମ୍ବା ଇଂଲଣ୍ଡର ଲମ୍ବା ଭାରତୀୟ ଟୁରରେ ମଧ୍ୟ କଟକକୁ ନିରାଶ ହେବାକୁ ପଡ଼ିଛି । ବିସିସିଆଇ ଗତକାଲି ୨୦୨୩-୨୪ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିସାରିଛି । ଏହି ଘରୋଇ ସିଜିନ ବିଶ୍ୱକପ ପୂର୍ବରୁ ଖେଳାଯିବ । ବିଶ୍ୱକପ ଅକ୍ଟୋବର ୫ରେ ଆରମ୍ଭ ହେବ l ହେଲେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଭାରତ ସହ ୩ଟିକିଆ ଦିନିକିଆ ସିରିଜ ଖେଳିବ । ମୋହାଲୀ, ଇନ୍ଦୋର ଓ ରାଜକୋଟରେ ଏହି ମ୍ୟାଚ୍ ଗୁଡିକ ଖେଳାଯିବ । ଗତବର୍ଷ ଜୁନ୍ ୧୨ ତାରିଖରେ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ଟି-୨୦ ମ୍ୟାଚର ଦ୍ଵିତୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିଲା । ହେଲେ ଏଥର ବାରବାଟୀ ନିରାଶ l ଗୋଟେ ହେଲେ ବି ମ୍ୟାଚ ବାରବାଟୀକୁ ମିଳିନାହିଁ l ଓଡ଼ିଶାର କ୍ରିକେଟ ପ୍ରେମୀମାନଙ୍କ ପାଇଁ ମଧ୍ୟ ଏହା ଦୁଃଖ ଦାୟକ ସମ୍ବାଦ l
ଏଥର ନିରାଶ ବାରବାଟୀ
