ଇତିହାସ ରଚିବା ପାଇଁ ଆଉ କିଛି ଘଣ୍ଟାର ଆପେକ୍ଷା ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ସହ ରୋଭର ପ୍ରଜ୍ଞା । ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ-୩ର ଅବତରଣକୁ ସ୍ଥଗିତ କରାଯାଇପାରେ। ତେବେ ଅବତରଣ ପ୍ରକ୍ରିୟା କାଲି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ 30 କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ। ନିଜର ବେଗ କମ୍ କରିବା ସହ ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବ ଏବଂ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି । ଏହା ସବୁପ୍ରକାର ସମ୍ଭାବ୍ୟ ତ୍ରୁଟିର ତତ୍କାଳ ସମାଧାନ ପାଇଁ ନିଜେ ହିଁ ସକ୍ଷମ । କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ଧାର୍ଯ୍ୟ କରାଯାଇଛି ଯାହାର ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଛି । ସଫ୍ଟଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାରିବ ଏବଂ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଗଡ଼ାଇ ବୈଜ୍ଞାନିକ ତଥ୍ୟ ହାସଲ କରିବେ l ଏହା ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ। ଏହା ପୂର୍ବରୁ ଚନ୍ଦ୍ରର ଦକ୍ଷିଣାମେରୁରେ କୌଣସି ଦେଶ ସଫଳତାର ସହ ଅବତରଣ କରିପାରିନାହାନ୍ତି l ତେଣୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶର ମାନ୍ୟତା ହାସଲ ପାଇଁ ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ l ତେବେ ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟ ଲଖ୍ୟ ହେଉଛି ପ୍ରଥମେ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର୍ ବିକ୍ରମର ଅବତରଣ, ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା । ତେଣୁ ରୋଭରର ଏକ ମୁଖ୍ୟ କାମ ହେଲା ଚନ୍ଦ୍ରରେ ପାଣିର ସନ୍ଧାନ କରିବା । ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେb। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକ୍ସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା ମଧ୍ୟ କରାଯାଇପାରିବ । ଏହାସହ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର। ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି। ଯଦି ଇସ୍ରୋର ଅଭିଯାନ ସଫଳ ହେବ, ଏହା ଇତିହାସ ସୃଷ୍ଟି କରିବ।
ଇତିହାସ ରଚିବା ପାଇଁ ଆଉ କିଛି ଘଣ୍ଟାର ଆପେକ୍ଷା
