Site icon UTKAL PRATIDIN

ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣା ବିବାଦ

photo_6264776681520739570_y

ନରେନ୍ଦ୍ରମୋଦି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ସରକାରର ବିକଳ୍ପ ହେବା ପାଇଁ ଅଣ୍ଟା ଭିଡିଥିବା ‘ଇଣ୍ଡିଆ’ ମେଣ୍ଟରେ ଆରମ୍ଭରୁ ଦେଖାଗଲାଣି ଆସନ ବୁଝାମଣାର ବିବାଦ । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟ ବିରୋଧୀ ଦଳ ତଥା ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ଓ ଦିଲ୍ଲୀର ଶାସନରେ ଥିବା କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି (ଆପ୍)। ଗତକାଲି ଦିଲ୍ଲୀରେ ପ୍ରଦେଶ କଂଗ୍ରେସ ନେତାମାନେ ଦଳର ହାଇକମାଣ୍ଡ ମଲ୍ଲୀକାର୍ଜୁନ ଖଡଗେଙ୍କୁ ଭେଟି ଆଲୋଚନା କରିଛନ୍ତି । କୁହାଯାଉଛି ଯେ, ଆସନ୍ତା ଲୋକସଭା ନିର୍ବାଚନ ରେ ଦିଲ୍ଲୀର ସମସ୍ତ ୭ଟି ସଂସଦୀୟ ଆସନରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଲଢାଇବାକୁ ଚାହୁଁଛି । ଏହାକୁ ନେଇ ଶାସନରେ ଥିବା ଆମ ଆଦମୀ ପାର୍ଟି କ୍ଷୁବ୍ଧ ହୋଇଛି । କଂଗ୍ରେସ ଆସନ ବୁଝମାଣ ନକରି ଏକାକୀ ସମସ୍ତ ଆସନରେ ଲଢିଲେ, ଆପ ‘ଇଣ୍ଡିଆ’ ମେଣ୍ଟରୁ ଓହରି ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି । ଏପରିକି ମୁମ୍ବାଇରେ ହେବାକୁ ଥିବା ମେଣ୍ଟ ବୈଠକକୁ କେଜ୍ରିଓ୍ବାଲ ବର୍ଜନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କଂଗ୍ରେସର ଏପରି ଆଭିମୁଖ୍ୟର ଆଭାସ ମିଳିବା ପରେ ଆପ୍ କହିଛି, ଯଦି କଂଗ୍ରେସ ଦିଲ୍ଲୀରେ ଏକାଠି ନିର୍ବାଚନ ଲଢିବ ତେବେ ଇଣ୍ଡିଆ ମେଣ୍ଟ ନିରର୍ଥକ । ଦଳୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମିଳିତ ମଞ୍ଚ ଆସନ ବୁଝମଣା ସମ୍ପର୍କରେ ମେଣ୍ଟର ବରିଷ୍ଠ ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କିନ୍ତୁ ଯେତେବେଳେ କଂଗ୍ରେସ ଏକାକୀ ଲଢିବାର ନିଷ୍ପତ୍ତିକୁ ଠିକ ବୋଲି ଭାବୁଛି, ସେତେବେଳେ ଆମ୍ ଆଦମୀ ପାର୍ଟିରେ ମେଣ୍ଟରେ ରହିବାର କୌଣସି ଅର୍ଥ ନାହିଁ । ବିରୋଧୀ ମେଣ୍ଟର ତୃତୀୟ ବୈଠକ ଆସନ୍ତା ୩୧ ତାରିଖରେ ଓ ସେପ୍ଟେମ୍ବର ପହିଲାରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି । କଂଗ୍ରେସ ଯଦି ଏହି ଏକାକୀ ଲଢିବାର ନିଷ୍ପତ୍ତିରେ ଅଟଳ ରହେ, ତେବେ ଆମ ଆଦମୀ ପାର୍ଟି ମଧ୍ୟ ନିଜ ମେଣ୍ଟରେ ଅଂଶଗ୍ରହଣ ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ । ଏପରିକି ଏହି ବୈଠକକୁ ଅରବିନ୍ଦ କେଜ୍ରିଓ୍ବାଲ ବର୍ଜନ ମଧ୍ୟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ବେଙ୍ଗାଲୁରୁରେ ହୋଇଥିବା ମେଣ୍ଟ ବୈଠକରେ କଂଗ୍ରେସ ଓ ଆପ୍ ମଧ୍ୟରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ମାମଲାର ସମାଧାନ ହୋଇଥିଲା । ଏଥିରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଂଶଗ୍ରହଣ ଶେଷ ପର୍ଯ୍ୟନ୍ତ ସନ୍ଦେହରେ ଥିଲା । ହେଲେ ଶେଷ ପର୍ଯ୍ୟାୟରେ କଂଗ୍ରେସ ଏହି କେନ୍ଦ୍ରୀୟ ଅଧ୍ୟାଦେଶ ବିଲକୁ ସଂସଦରେ ବିରୋଧ କରିବା ନେଇ ଘୋଷଣା କରିବା ପରେ ବେଙ୍ଗାଲୁରୁ ସମ୍ମିଳନୀରେ କେଜ୍ରିଓ୍ବାଲଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରୟାସ ସତ୍ତ୍ବେ ମଧ୍ୟ ସଂସଦରେ ଏହାକୁ କେନ୍ଦ୍ର ସରକାର ପାରିତ କରିବାରେ ସଫଳ ହୋଇଥିଲେ । ଏବେ ପୁଣି ଆସନ ବୁଝମାଣ କ୍ଷେତ୍ରରେ ଏହି ମତଭେଦ ଆରମ୍ଭ ହେଲାଣି । କଂଗ୍ରେସ ଯଦି ଏକାକୀ ଲଢିବାର ନିଷ୍ପତ୍ତି ବଳବତ୍ତର ରଖେ, ତେବେ କେଜ୍ରିଓ୍ବାଲ ପୁଣି ମେଣ୍ଟରୁ ଓହରିବା ମୁଦ୍ରାକୁ ଆସିପାରନ୍ତି l ତେବେ ଇଣ୍ଡିଆ ମେଣ୍ଟରେ ଏପରି ବିବାଦ କୁ ନେଇ ଏବେ ପ୍ରଶ୍ନ ଉଠିଛି କି କେତେ ଦିନ ଯାଏଁ ଏ ମେଣ୍ଟ ତିଷ୍ଠି ପରିବ l ପ୍ରଥମରୁ ହିଁ ଏପରି ବୁଝାମଣାରେ ବିବାଦ ଏବେ ମେଣ୍ଟାର ଜୀବନକାଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l

Exit mobile version