
ଭୁବନେଶ୍ୱର: ଆୟତ୍ତ ବାହାରକୁ ଗଲାଣି ଆଳୁ ।ଆଳୁ ପାଇଁ ଅଡୁଆ ସ୍ଥିତିରେ ସରକାର । ଗରିବଙ୍କ ଭାତ ଥାଳି ଏବେ ଖାଲି ଖାଲି। ତିନି ଦିନ ହେଲା ସ୍ଥିତି ଏମିତି ଲାଗି ରହିଛି ।ଆଜି ବି ସମାଧାନର ବାଟ ବାହାରି ପାରିନି । ଯୋଗାଣ ମନ୍ତ୍ରୀ ୩୨ ଟଙ୍କାରେ ଆଳୁ ବିକିବାକୁ ତାଗିଦ କରିବା ପରେ ବଜାରରୁ ଆଳୁ ଏକ ପ୍ରକାର ଉଭାନ ହୋଇ ଗଲାଣି । କାରଣ ବେପାରୀ ଉଚ୍ଚ ଦରରେ କିଣି ୩୨ ଟଙ୍କାରେ ବିକିବେ କେମିତି ? ଏପଟେ ବଜାରରେ ଆଳୁ ଦର କେଜି ୫୦ ଟଙ୍କା ଛୁଇଁଲାଣି । ପଶ୍ଚିମ ବଙ୍ଗ ସରକାର ଆଳୁ ଗାଡି ନ ଛାଡ଼ିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି ।
ବାଲେଶ୍ୱର ସୀମାରେ ଅଟକିଛି ଶହଶହ ଆଳୁ ଭର୍ତ୍ତି ଟ୍ରକ । ୫ ଦିନ ହେଲାଣି କଟକ ଛତ୍ର ବଜାରକୁ ଆସିନି ଆଳୁ ଟ୍ରକ । ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଶତାଧିକ ଆଳୁ ଟ୍ରକ ଅଟକି ରହିବା ପରତେ ଏବେ ତାହା ଫେରି ଯାଇଛି । ପଶ୍ଚିମ ବଙ୍ଗ ପୋଲିସ ଛାଡ଼ୁନି ।
ଛତ୍ର ବଜାରକୁ ଦୈନିକ ୮ରୁ ୯ ଟ୍ରକ ଆଳୁ ଆସୁଥିବା ବେଳେ ଶୁକ୍ରବାର ମାତ୍ର ଗୋଟିଏ ଟ୍ରକ ଆସିଥିଲା । ତେଣୁ ବ୍ୟବସାୟୀଙ୍କ ଭିଡ ଲାଗିଥିଲା | ହେଲେ ଆଜି ବିଲକୁଲ ଅଶ୍ୱିନୀ `ଛତ୍ର ବଜାରରେ ଆଳୁ ଦର ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ୬୦ ଟଙ୍କା ରହିଛି । ଆଗକୁ ସ୍ଥିତ ଆହୁରି ଆହୁରି ସଂଗୀନ ହୋଇପାରେ ।

ଏପଟେ ସ୍ଥିତି ସମ୍ଭାଳିବା ପାଇଁ ଉତ୍ତର ପ୍ରଦେଶରୁ ଆଳୁ ମଗାଇବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ । ଗୋଦାମରେ ଯେତିକି ଆଳୁ ଅଛି ତାହା ୭ ଦିନ ଯାଏ ରାଜ୍ୟର ଚାହିଦା ମେଣ୍ଟାଇବ । ତା ଭିତରେ ଉତ୍ତରପ୍ରଦେଶରୁ ଆଳୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ।
ଏଥର ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କାମ ହୋଇଥିବାରୁ ସେଠିକା ପୋଲିସ ଆଳୁ ଗାଡି ଛାଡୁ ନାଁ ଥିବା କୁହାଯାଉଛି । ଅନ୍ୟପଟେ ମମତା ସରକାରଙ୍କ ଏ ହରକତ ନୂଆ ନୁହେଁ । ନବୀନ ସରକାର ସମୟରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା।
ଏପଟେ ଆଳୁ ଅଡ଼ୁଆକୁ ନେଇ ପୂର୍ବ ସରକାରଙ୍କୁ ଦାୟୀ କରିଛି ବିଜେପି ସରକାର । ରାଜ୍ୟରେ ଆଳୁ,ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଯେତିକି ଉତ୍ପାଦନ ହେଉଛି ଶୀତଳଭଣ୍ଡାର ନାଁ ଥିବାରୁ ତାହାକୁ ମଧ୍ୟ ସଂରକ୍ଷଣ କରାଯାଇ ପାରୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚଠି ଲେଖି ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।