ଭୁବନେଶ୍ୱର : ଆସୁଛି ଆଉ ଏକ ବଡ଼ ଲଘୁଚାପ । ୧୪ ଜିଲ୍ଲାକୁ ହେବ ପ୍ରବଳ ବର୍ଷା । ଆଗକୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଉତ୍ତର ବଙ୍ଗୋପସାଗର ଉପରକୁ ଆସିବ । ୪ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ l
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କନ୍ଧମାଳରେ ଆଜି ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ସେହିପରି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳରେ ୭୦ ରୁ ୨୦୦ମିମି ଯାଏ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି l
୫ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର ଓ ଢେଙ୍କାନାଳରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ଗତକାଲି ୩ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୨୬ମିମି ବର୍ଷା ରେକର୍ଡ ହୋଇଛି । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ଭିତରେ ବଜ୍ରପାତ ସହ ବର୍ଷାରେ ଲୋକେ ବେହାଲ ହୋଇପଡିଛନ୍ତି । ସେହିପରି ଗତକାଲି କଟକ ମହାନଗର ନିଗମ ଅଞ୍ଚଳରେ ୯୫.୮ମିମି ବର୍ଷା ହୋଇଛି । ଖୋର୍ଦ୍ଧାରେ ୭୫, ଅନୁଗୁଳରେ ୨୬, ସୋନପୁର ଓ ଦାରିଙ୍ଗିବାଡ଼ିରେ ୨୭.୨, ମାଲକାନଗିରିରେ ୧୪.୪, ନୟାଗଡ଼ରେ ୧୬, ଯାଜପୁରରେ ୧୮, ନବରଙ୍ଗପୁରରେ ୧୬.୨ ଓ କେନ୍ଦ୍ରାପଡ଼ାରେ ୧୧.୨ମିମି ବର୍ଷା ହୋଇଛି ।
ଗତକାଲି ବଜ୍ରପାତରେ ୬ ଜିଲ୍ଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଅଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪ ମୃତ ଓ ୩ ଗୁରୁତର ହୋଇଛନ୍ତି । ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ, ବଲାଙ୍ଗିରରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି