ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପ୍ରଭାବରେ ରାଜ୍ୟରେ ୧୯ ତାରିଖରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ ବର୍ଷର ପରିମାଣ ଖୁବ୍ ବେଶି ମଧ୍ୟ ରହିପାରେ। ଏନେଇ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ କୁହାଯାଇଛି । ଅନ୍ୟପଟେ ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ପଡ଼ିଛି। ଯାହାଦ୍ୱାରା ରାଜ୍ୟରେ ବର୍ଷର ପରିମାଣ ଟିକେ କମ୍ ହୋଇଛି। ଏଥିସହିତ ଜଡିତ ଘୂର୍ଣ୍ଣିବଳୟ ଆଜି ପଶ୍ଚିମ ଝାଡଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଢଳରେ ୭.୬ କିଲୋମିଟର ଯାଏ ବ୍ୟାପିଛି । ଏହାର ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ଅତି ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର । ଅନ୍ୟ ୧୩ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, କନ୍ଧମାଳ, ଗଂଜାମ, ସୋନପୁର, ଅନୁଗୁଳ, ଦେଓଗଡ଼, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟରେ ୨୨.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୧.୮ ମିଲିମିଟର ତୁଳନାରେ ୯୨ ପ୍ରତିଶତ ଅଧିକ । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମିଲିମିଟର ତୁଳନାରେ ୨୦ ପ୍ରତିଶତ କମ୍ ରହିଛି। ଆଗାମୀ ୩ ଦିନ ବର୍ଷାର ପରିମାଣ ବଢ଼ିବାକୁ ନେଇ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ ।