ଥମୁନି ନେତାଙ୍କ ବିବାଦ | ହଟୁନି ଆଳୁ ଅଳିଆ | ଆଉ ମଝିରେ କ୍ଷତିରେ ପଡୁଛନ୍ତି ବେପାରୀ | କଲବଲ ହେଉଛନ୍ତି ଖାଉଟି | ଆଳୁକୁ ନେଇ ରାଜ୍ୟରେ ଏବେ ସ୍ଥିତି ଗମ୍ଭୀର | ଦୁଇଦିନ ହେଲା ଆଳୁ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲେ ହେଁ ସୁଧାର ଆସିନି | ଅନ୍ୟପକ୍ଷେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି | ନବୀନଙ୍କ ଚିଠି ପାଇ ମମତା ଆଳୁ ପଠାଇବା ପାଇଁ କୋହଳ ମନୋଭାବ ପୋଷଣ କରିଥିବା ଦାବି କରଛି ବିଜେଡି | ବିଜେପି ଏଥିପାଇଁ ମୋହନଙ୍କୁ ଦେଉଛି ଶ୍ରେୟ | କାରଣ ନିତି ଆୟୋଗ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତାଙ୍କୁ ଭେଟି ଆଳୁ ସମସ୍ୟାର ସମାଧାନ ଲାଗି ବି ଅନୁରୋଧ କରିଥିଲେ |
ହେଲେ ତଥ୍ୟ କହୁଛି ଭିନ୍ନକଥା | ନା ନରମିଛନ୍ତି ଦିଦି ନା ରଖିଛନ୍ତି ନେତାଙ୍କ କଥା, ନା ଦେଇଛନ୍ତି ଆଳୁ | | କଥା ହେଉଛି, ସୀମାରେ ଏବେ ବି ଅଟକିଛି ଶହ ଶହ ଟ୍ରକ ଆଳୁ ଗାଡି | ନାକା ଚେକ ପୋଷ୍ଟଠାରେ ପୋଲିସଏହାକୁ ଅଟକାଇ ରଖିଛି | ପ୍ରାୟ ୫ ଶହ ଟ୍ରକ ଗାଡି ଫେରି ଯାଇଥିବା କୁହାଯାଉଛି |
ଅନ୍ୟପକ୍ଷେ ବଙ୍ଗ ବେପାରୀଙ୍କ କୋହଳ ମନୋଭାବ ଯୋଗୁ କିଛି କିଛି ଆଳୁ ଗାଡି ରାଜ୍ୟକୁ ପ୍ରବେଶ କରୁଛି | ବ୍ୟାବସାୟିକ ଦୃଷ୍ଟିକୋଣ ହେଉ ବା ଓଡିଶା ପ୍ରତି ସମବେଦନା ହେଉ ରାତି ଅଧରେ ଚୋରା ବାଟ ଦେଇ ପଶୁଛି ଆଳୁ ଭର୍ତ୍ତି ଗାଡି | ଯାହା ଫଳରେ ସ୍ଥିତି ସାମାନ୍ୟ ସ୍ୱାଭାବିକ ରହିଛି |
ତଥାପି ଗତ ୨୬ ତାରିଖରେ ନାକା ପଏଣ୍ଟରୁ ୨୦୦ ଗାଡିକୁ ପୋଲିସ ଜବରଦସ୍ତ ଫେରାଇ ଦେଇଛି | ଅନ୍ୟପକ୍ଷେ ୨୮ ତାରିଖ ୩୦୦ରୁ ଅଧିକ ଗାଡି ଲାଇନରେ ଅଛନ୍ତି | ପୋଲିସ୍ର ଯାଂଚକୁ ଡରି ଅନେକ ଗାଡି ରାତି ଅଧରେ ଚୋରା ବାଟ ଦେଇ ଓଡିଶାକୁ ଆସୁଛନ୍ତି | ଏହାବ୍ୟତୀତ ଚେକ ଗେଟରେ ଦଲାଲଙ୍କ ସହାୟତାରେ ପୋଲିସ ଟଙ୍କା ନେଇ ଛାଡି ଦେଉଥିବା ଅଭିଯୋଗ ମଧ୍ୟ ହେଉଛି | ଏଥିପାଇଁ ଟ୍ରକରୁ ୨୦ରୁ ୨୫ ହଜାର ଏବଂ ମିନିଟ୍ରକ ପାଇଁ ୫ରୁ ୧୦ ହଜାର ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି | ଏହା ମଧ୍ୟ ଆଳୁ ଦରରେ ପ୍ରଭାବ ପକାଉଛି |
ଏସବୁ ସତ୍ୱେ ବି ଆଇଗିଣିଆ ଆଳୁ ଗଦିକୁ ଦୈନିକ ୩୦୦ ଟ୍ରକ ଆଳୁ ଆସୁଥିବା ବେଳେ ଗତ କଲି ମାତ୍ର ୨୨ ଟ୍ରକ ଆଳୁ ଗାଡି ଲାଗିଛି | ତେଣୁ ଏହା କେତେ ଚାହିଦା ମେଣ୍ଟାଇବା ଏବଂ ଆଗକୁ ସ୍ତିତି କଣ ହେବ ତାକୁ ନେଇ ଖାଉଟି ଏବେ ଚିନ୍ତାରେ |